ପେଗାସସ୍ ବିବାଦ: ଗୃହକାର୍ଯ୍ୟ ସ୍ବଭାବିକ ପାଇଁ ମଲ୍ଲିକାର୍ଜୁନ ଖଡେଗଙ୍କ ସହଯୋଗ ଲୋଡ଼ିଲେ ରାଜନାଥ ସିଂ , ରୋକଠୋକ ମନା କଲେ ଖଡଗେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସଂସଦର ମୌସୁମୀ ଅଧିବେଶନ ଆରମ୍ଭରୁ ପେଗାସସ୍ ବିବାଦ ଚର୍ଚାରେ ରହିଆସିଛି। ବିରୋଧୀ ଏହି ପ୍ରସଙ୍ଗକୁ ମୁଦ୍ଦା କରି ବିରୋଧୀ ମୋଦୀ ସରକାରଙ୍କୁ ସଂସଦରେ ଅଡୁଆରେ ପକାଇଦେଇଛନ୍ତି। ବିରୋଧୀ ଦଳ ଗୁଡ଼ିକ ଏକ ସ୍ବରରେ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଫଳରେ ସଂସଦରେ ଅଚଳାବସ୍ଥା ଜାରି ରହିଛି। ଏହା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ଦିନ ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖଡେଗଙ୍କ ସହ କଥା ହୋଇ ଗୃହକାର୍ଯ୍ୟରେ ସ୍ବାଭାବିକ କରିବା ପାଇଁ ତାଙ୍କ ସହଯୋଗ ଲୋଡିଛନ୍ତି। 

କିନ୍ତୁ ଖଡଗେ ରାଜନାଥଙ୍କୁ ରୋକଠୋକ ଶୁଣାଇ ଦେଇଛନ୍ତି ଯେ, ଯେପର୍ଯ୍ୟନ୍ତ ବିରୋଧୀ ଉଠାଇଥିବା ପ୍ରସଙ୍ଗ ଉପରେ ଆଲୋଚନା ନହୋଇଛି ସେ ପର୍ଯ୍ୟନ୍ତ ଗୃହକାର୍ଯ୍ଯ ସ୍ବାଭାବିକ ହେବାର ପ୍ରଶ୍ନ ଉଠୁ ନାହିଁ। ବିରୋଧୀଙ୍କ ଦାବି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବା ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ପେଗାସସ୍ ଜାସୁସି ପ୍ରସଙ୍ଗରେ ଉଭୟ ସଦନରେ ଉତ୍ତର ଦିଅନ୍ତୁ। ଏବଂ ମାମଲାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ। କିନ୍ତୁ ସରକାର ଏହି ପ୍ରସଙ୍ଗକୁ ଏଡାଇବା ପାଇଁ ଯଥା ସମ୍ଭବ ପ୍ରୟାସ ଜାରି ରଖିଛି। 

ସୂତ୍ରରୁ ମିଳିଥିବା ସୂଚନା ମୁତାବକ ରାଜନାଥ ସିଂ ଗତ ସପ୍ତାହରେ ତାଜିକିସ୍ତାନରୁ ଫେରିବା ପରେ ଏ ପ୍ରସଙ୍ଗରେ ଏକ ସର୍ବଦଳୀୟ ବୈଠକ ଡାକିବା ପାଇଁ ଖଡଗେଙ୍କୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେହି ବୈଠକ ହୋଇପାରିଲା ନାହିଁ।  ସୂଚନା ମୁତାବକ ଏହି ସମସ୍ୟାର ସମାଧାନ ପାଇଁ ରାଜନାଥ ସେମିତି କିଛି ଠୋସ୍ ପ୍ରସ୍ତାବ ଦେଇ ନଥିଲେ ଯାହା ଦ୍ବାରା ସ୍ଥିତି ସ୍ୱାଭାବିକ ହୋଇପାରିବ।  

ଅପରପକ୍ଷରେ ବିରୋଧୀ ଦଳର ଏକତାକୁ ମଜଭୁତ କରିବା ପାଇଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଙ୍ଗଳବାର ବ୍ରେକଫାଷ୍ଟ ପେ ଚର୍ଚ୍ଚା ଆରମ୍ଭ କରିଛନ୍ତି। ସମସ୍ତ ବିରୋଧୀ ଦଳ ସାଂସଦ ଏବଂ ଅନ୍ୟ ନେତାଙ୍କ ସହ ଆଜି ସେ ବ୍ରେକଫାଷ୍ଟ କରିଛନ୍ତି ଓ ସଂସଦରେ କେନ୍ଦ୍ର ସରକାରଙ୍କୁ କିଭଳି ଘେରିବେ ସେ ନେଇ ଏହି ବୈଠକରେ ଚର୍ଚ୍ଚା କରୁଛନ୍ତି।

ଦିଲ୍ଲୀର କମ୍ୟୁନିଷ୍ଟ କ୍ଲବରେ ରାହୁଲ ବ୍ରେକଫାଷ୍ଟ ପେ’ ଚର୍ଚ୍ଚା କରିଥିଲେ। କେନ୍ଦ୍ର ବିରୋଧରେ ଲୋକସଭା ଏବଂ ରାଜ୍ୟସଭାର ୧୦୦ରୁ ଅଧିକ ସାଂସଦ ରାହୁଲଙ୍କ ଏହି ବୈଠକରେ ସାମିଲ ହୋଇଛନ୍ତି। 

କଂଗ୍ରେସ, ଏନ୍‌ସିପି, ଶିବସେନା, ଆର୍‌ଜେଡି, ଏସପି, ସିପିଆଇଏମ୍‌, ସିପିଆଇ, ଆଇୟୁଏମ୍‌ଏଲ୍‌, ରିଭୋଲ୍ୟୁସନରୀ ସୋଶାଲିଷ୍ଟ ପାର୍ଟି, କେରଳ କଂଗ୍ରେସ, ଝଡଖଣ୍ଡ ମୁକ୍ତି ମୋର୍ଚ୍ଚା, ନ୍ୟାଶନାଲ କନ୍‌ଫ୍ରେନ୍ସ, ଟିଏମ୍‌ସି ଏବଂ ଲୋକତନ୍ତ୍ରିକ ଜନତା ଦଳ ଭଳି ଦଳରୁ ୧୫୦ ନେତା ରାହଲୁଙ୍କ ବ୍ରେକଫାଷ୍ଟ ଚର୍ଚ୍ଚାରେ ଏକଜୁଟ ହୋଇ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ।

ଏହି ବୈଠକରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ପେଗାସସ୍‌ ଦୁର୍ନୀତି ମାମଲା କଥା ଉଠାଇଥିଲେ। କୃଷି ଆଇନ୍‌, ପେଗାସସ୍‌, କୋଭିଡ-୧୯ ଏବଂ ଦରଦାମ ଭଳି ଅନେକ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରୁଛନ୍ତି । 

Related Posts