(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ୨୦୨୨-୨୩ ଶିକ୍ଷାବର୍ଷରେ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ପିଜି ନାମଲେଖା। ମୋଟ ୧୫ଟି ବିଭାଗରେ ପିଜି ପାଇଁ ନାମଲେଖା ଆରମ୍ଭ ହେବାକୁ ଥିବାବେଳେ ୧୧ଟି କ୍ଲିନିକାଲ ଓ ୪ଟି ଅଣକ୍ଲିନିକାଲ ବିଭାଗରେ ପିଜି ପାଠ୍ୟକ୍ରମ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ମେଡିସିନ୍, ସର୍ଜରି, ସ୍ତ୍ରୀ ଓ ପ୍ରସୂତି ଓ ଶିଶୁରୋଗରେ ୫ଜଣ ଲେଖାଏଁ ଏବଂ ୧୧ଟି ବିଭାଗରେ ୩ଜଣ ଲେଖାଏଁ ପିଜି ଛାତ୍ରଙ୍କ ନାମଲେଖା ପାଇଁ ଜାତୀୟ ମେଡିକାଲ କମିସନ ବା ଏନ୍‌ଏମ୍‌ସିର ଅନୁମୋଦନ ଉପରେ ନିର୍ଭର କରୁଛି। 

ସେହିପରି ଅନ୍ୟ ବିଭାଗଗୁଡ଼ିକ ମଧ୍ୟରେ ଆନାସ୍ଥେସିଆ, ରେଡିଓ ଡା‌ଏଗ୍ନୋସିସ୍, ପଲମୋନାରି ମେଡିସିନ୍, ଅର୍ଥୋପେଡିକ୍ସ, ଅପଥାଲମୋଲୋଜି, ଇଏନ୍‌ଟି, ଏମର୍ଜେନ୍‌ସି ମେଡିସିନ, ପାଥୋଲୋଜି, ମାଇକ୍ରୋବାଇଓଲୋଜି, ବାଇଓକେମିଷ୍ଟ୍ରି ଓ ଏଫ୍‌ଏମ୍‌ଟି ରହିଥିବା ଜଣାପଡିଛି। 

ସୂଚନାଯୋଗ୍ୟ ଯେ ୨୦୧୩ ମସିହାରେ ରାଜଧାନୀ ଭୁବନେଶ୍ଵର ସ୍ଥିତ ପୋଷ୍ଟ ଗ୍ରାଜୁଏଟ୍‌ ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ ଏବଂ କ୍ୟାପିଟାଲ ହସ୍ପିଟାଲ ପାଇଁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଥିଲେ। କିନ୍ତୁ ଅର୍ଥର ଅଭାବ ଯୋଗୁଁ ଏହାର ନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଥିଲା। ତେବେ ମିଳିଥିବା ସୂଚନା ମୁତାବକ ଚଳିତବର୍ଷ ଏହାର ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର୍‌ ଆହ୍ବାନ କରାଯାଇଛି। ଏବଂ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୨୯କୋଟି ଟଙ୍କା ମଞ୍ଜୁର କରାଯାଇଛି। ତେବେ ପିଜି ଇନ୍‌ଷ୍ଟିଚ୍ୟୁଟ୍‌ ପାଇଁ ୨ଟି ୫ମହଲା ବିଶିଷ୍ଟ ବିଲ୍ଡିଂ ନିର୍ମାଣ କରାଯିବା ପାଇଁ ପ୍ରସ୍ତାବ ରହିଛି। ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲରେ ୨୦ରୁ ଅଧିକ ବିଭାଗ କାର୍ଯ୍ୟ କରୁଥିବା ସୂଚନା ରହିଛି।