ଜୋର୍ ଧରିଲା ସଂରକ୍ଷଣ ସୀମା ଓ ଜାତିଭିତ୍ତିକ ଗଣନା ପ୍ରସଙ୍ଗ: ବିଧାନସଭାରେ ସଂକଳ୍ପ ପାରିତ, ସଂକଳ୍ପକୁ ଆଇନଗତ ଅସିଦ୍ଧ କହିଲେ ନରସିଂହ ମିଶ୍ର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପୁଣିଥରେ ଜୋର୍ ଧରିଲା ଜାତିଭିତ୍ତିକ ଜନଗଣନା ଓ ସଂରକ୍ଷଣ ସୀମା ୫୦%ରୁ ବଢ଼ାଇବା ଦାବି। ବିଧାନସଭା ମୌସୁମୀ ଅଧିବେଶନର ଶେଷ ଦିନରେ ଏଥିପାଇଁ ସଂକଳ୍ପ ପାରିତ ହୋଇଛି। ତେବେ ଆଲୋଚନା ସମୟରେ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହରେ ଅନୁପସ୍ଥିତ ଥିଲେ।ଏସ୍‌ସି-ଏସ୍‌ଟି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ସଂକଳ୍ପ ଆଗତ କରିଥିଲେ।
ମନ୍ତ୍ରୀ କହିଥିଲେ ଯେ ରାଜ୍ୟର ମୋଟ ଜନସଂଖ୍ୟାର ୨୨.୫% ଅନୁସୂଚିତ ଜନଜାତି, ୧୬.୨୫% ଅନୁସୂଚିତ ଜାତି ଓ ବାକି ଜନସଂଖ୍ୟାର ଏକ ବଡ଼ ଅଂଶ ଓବିସି । ବର୍ତ୍ତମାନର ସଂରକ୍ଷଣ ନିୟମ ଅନୁଯାୟୀ ଏସ୍‌ଟିଙ୍କ ନିମନ୍ତେ ୨୨.୫%, ଏସ୍‌ସିଙ୍କ ନିମନ୍ତେ ୧୬.୨୫% ଓ ଓବିସିଙ୍କ ପାଇଁ ୧୧.୨୫% ସଂରକ୍ଷଣ ରହିଛି। ସୁପ୍ରମିକୋର୍ଟଙ୍କ ଦ୍ବାରା ଧାର୍ଯ୍ୟ ସର୍ବୋଚ୍ଚ ସଂରକ୍ଷଣ ସୀମା ୫୦ ପ୍ରତିଶତରେ ସୀମିତ ରଖାଯାଇଛି। କିନ୍ତୁ ଓଡ଼ିଶାର ମୋଟ୍‌ ଜନସଂଖ୍ୟାରେ ଓବିସିଙ୍କ ସଂଖ୍ୟାକୁ ଯଦି ବିଚାରକୁ ନିଆଯାଏ ତେବେ ବର୍ତ୍ତମାନ ପ୍ରଚଳିତ ସଂରକ୍ଷଣ ନୀତିରେ ସେମାନଙ୍କ ପ୍ରତିନିଧିତ୍ବର ଯଥାର୍ଥତା ପ୍ରଦାନ କରୁନାହିଁ।

ଓବିସି ବର୍ଗର ସଂରକ୍ଷଣ ନିମନ୍ତେ ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରଣୀତ ବିଭିନ୍ନ ସଂକଳ୍ପ ଓ ଆଇନକୁ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ, ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଦ୍ବାରା ରଦ୍ଦ କରାଯାଇଛି। କାରଣ ଏହି ବର୍ଗର ଠିକ୍ ଜନସଂଖ୍ୟାର ପରିସଂଖ୍ୟାନ ନାହିଁ। ତେଣୁ ୨୦୨୧ ଜନଗଣନା ବେଳେ ଏହି ବର୍ଗର ସାମାଜିକ, ଅର୍ଥନୈତିକ ଓ ଶୈକ୍ଷିକ ଅବସ୍ଥା ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବାର ଆବଶ୍ୟକତା ରହିଛି ବୋଲି ସଂକଳ୍ପ ପତ୍ରରେ ଦାବି କରାଯାଇଛି । ତେଣୁ ରାଜ୍ୟ ଓବିସି କମିସନ୍‌ ଭାରତ ସରକାରଙ୍କୁ ଚିଠି ଲେଖି ଏ ସମ୍ପର୍କରେ ନିଜ ଆଭିମୁଖ୍ୟ ଉପସ୍ଥାପନ କରନ୍ତୁ।

ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ବିଜେଡିର ସଂସଦୀୟ ଦଳ ଭେଟି ଏ ପ୍ରସଙ୍ଗ ଉଠାଇଥିଲେ। ସେହିପରି ବିଜେଡି ତରଫରୁ ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗ ଉଠାଯାଇଥିଲା। ବିଜେଡିର ଦାବି ଥିଲା ଯେ , ଏ ବ୍ୟବସ୍ଥା ଦ୍ୱାରା ପଛୁଆ ବର୍ଗଙ୍କୁ ସାମାଜିକ ନ୍ୟାୟ ମିଳିବ। ତେବେ ଏ ସଂପର୍କିତ ସଂକଳ୍ପ ଉପରେ ଆଲୋଚନା ବେଳେ ବିରୋଧୀ କଂଗ୍ରେସ୍ ଓ ବିଜେପି ଅନୁପସ୍ଥିତ ଥିଲେ। ତେବେ ସଂକଳ୍ପକୁ ଆଇନଗତ ଅସିଦ୍ଧ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦର୍ଶାଇବା ସହ ସରକାର ଓବିସିଙ୍କ ପ୍ରତି ବେଇମାନୀ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ବିରୋଧୀ ଦଳଙ୍କ ଅନୁପସ୍ଥିତିରେ ପ୍ରସ୍ତାବ ପାରିତ କରିବା ଅତ୍ୟନ୍ତ ଦୁଃଖଦାୟକ। ମୁଁ ଏହାକୁ ନିନ୍ଦା କରୁଛି। ଜାଣିଶୁଣି ଭୁଲ୍‌ ସଂକଳ୍ପ ପାରିତ କରାଯାଇଛି। ମୁଁ ଆଜି ବାଚସ୍ପତି ଓ ଶାସକ ଦଳର କିଛି ସଭ୍ୟଙ୍କୁ ଏହି ତ୍ରୁଟି ସମ୍ପର୍କରେ କହିଥିଲି। କିନ୍ତୁ କେହି ଶୁଣି ନ ଥିଲେ। ଓବିସି କମିସନ୍‌ଙ୍କୁ ନିର୍ଦ୍ଦେଶ ଦେବାର କ୍ଷମତା ସଂସଦ କି ବିଧାନସଭାର ନାହିଁ। ସାଧାରଣତଃ କମିସନ୍ ସରକାରଙ୍କୁ ସୁପାରିସ୍ କରନ୍ତି। କିନ୍ତୁ ସରକାର କି ବିଧାନସଭା କମିସନ୍‌ଙ୍କୁ ସୁପାରିସ୍ କରିପାରିବେ ନାହିଁ। ଆଇନରେ ଏହି ବ୍ୟବସ୍ଥା ଅଛି। କିନ୍ତୁ ଏପରି ଏକ ତ୍ରୁଟିପୂର୍ଣ୍ଣ ପ୍ରସ୍ତାବ କାହିଁକି ଆସିଲା, ତାହା ବୁଝାପଡ଼ୁ ନାହିଁ। ଜାଣିଶୁଣି ଭୁଲ୍ କରାଯାଉଛି। ତାହାର ଓଲଟା ଫଳ ନିଶ୍ଚିତ ଫଳିବ। କଂଗ୍ରେସ ସ୍ପଷ୍ଟ କରୁଛି ଯେ ଜାତିଭିତ୍ତିକ ଜନଗଣନା କରାଯାଉ। ୫୦% ସଂରକ୍ଷଣ ସୀମା ଉଠାଇବା ପାଇଁ ତଥ୍ୟଭିତ୍ତିକ ଆଇନ କରାଯାଉ। ସମ୍ବିଧାନ ସଂଶୋଧନ କରାଯାଉ ବୋଲି ଶ୍ରୀ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ, ଓବିସି ସଂରକ୍ଷଣ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ସମ‌ସ୍ତେ ଏହାକୁ ଗୁରୁତ୍ବର ସହ ନେଉଛନ୍ତି। କଂଗ୍ରେସ ମଧ୍ୟ ଓବିସିଙ୍କୁ ସେମାନଙ୍କ ସଂଖ୍ୟା ଅନୁପାତରେ ସଂରକ୍ଷଣ ମିଳିବା କଥା କହୁଛି। ଓବିସିଙ୍କୁ ସଂରକ୍ଷଣ ଦେବାରେ ସୁପ୍ରିମକୋର୍ଟଙ୍କ ରାୟ ବାଧକ ସାଜୁଛି। ସୁପ୍ରିମକୋର୍ଟଙ୍କ ଏହି ରାୟ ଭୁଲ୍‌ ନୁହେଁ। ସ୍ଥଳ ବିଶେଷରେ ୫୦% ସଂରକ୍ଷଣ ସୀମାକୁ ସୁପ୍ରିମକୋର୍ଟ ମଧ୍ୟ କୋହଳ କରିଛନ୍ତି। ଯଦି ରାଜ୍ୟ ସରକାରଙ୍କ ପକ୍ଷରୁ ତଥ୍ୟଭିତ୍ତିକ ଯୁକ୍ତି ଉପସ୍ଥାପନ କରାଯାଏ, ତେବେ ୫୦% ସୀମା‌ ନିଶ୍ଚିତ କୋହଳ ହେବ। କିଛି ରାଜ୍ୟ ମଧ୍ୟ ଯୁକ୍ତି ଦର୍ଶାଇ ଓବିସିଙ୍କ ପାଇଁ ସଂରକ୍ଷଣ ଅଧିକ କରିଛନ୍ତି। ଯଦି ରାଜ୍ୟ ସରକାର ତୁରନ୍ତ ଜାତିଭିତ୍ତିକ ଗଣନା କରିବେ, ତେବେ ଓବିସିଙ୍କ ସଂଖ୍ୟା ନେଇ ସ୍ପଷ୍ଟ ତଥ୍ୟ ରହିବ। ତାହାକୁ ଭିତ୍ତି କରି ସମସ୍ତଙ୍କ ମତ ନେଇ ରାସ୍ତା ଖୋଜିଲେ ରାସ୍ତା ବାହାରିବ। କେବଳ ହୀନ ରାଜନୀତି ପାଇଁ ଓବିସି ଭୋଟ୍‌ ହାତେଇବା ଉଦ୍ଦେଶ୍ୟ ରଖି କାର୍ଯ୍ୟ କରାଗଲେ ପୁନର୍ବାର ତାହା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ କାଟ୍‌ ଖାଇପାରେ। ତାହା ପରେ ସରକାର ବାହାନା ଦେଖାଇବେ ଯେ ଆମେ କରିଥିଲୁ ଓ କୋର୍ଟ ନାକଚ କରିଦେଲେ। ସରକାର ଜାଣିଶୁଣି ଭୁଲ୍‌ ବାଟରେ ଯାଉଛନ୍ତି। ୧୯୯୩ ମସିହାରେ ମୁଁ ଆଇନ ମନ୍ତ୍ରୀ ଥିଲା ବେଳେ ଓବିସିଙ୍କ ସୁରକ୍ଷା ପାଇଁ ଓବିସି କମିସନ୍ ଗଠନ କରାଯାଇଥିଲା। କିନ୍ତୁ ନବୀନ ପଟ୍ଟନାୟକଙ୍କ ସରକାରରେ ଓବିସି କମିସନ୍ ପଦବି ଖାଲି ପଡ଼ିଲା। ବିଧାନସଭାରେ ବାରମ୍ବାର ଦାବି ଉପସ୍ଥାପନ କରାଗଲା ପରେ କମିସନ୍‌ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଲେ। କିନ୍ତୁ ଘର, କର୍ମଚାରୀ, ଉପକରଣ ଦିଆଗଲା ନାହିଁ। ଏହାର ଅର୍ଥ କ’ଣ? କାମ କରିବା ପାଇଁ କମିସନ୍‌ଙ୍କ ପକ୍ଷରୁ ବାରମ୍ବାର ଚିଠି ଦିଆଗଲା ପରେ କାର୍ଯ୍ୟାଳୟ ପାଇଁ ସରକାର ଘର ଦେଲେ। ଏଥିରେ ‌ଓବିସିଙ୍କ ପାଇଁ ସରକାରଙ୍କ ଆନ୍ତରିକତା ଧରାପଡ଼ିଯାଉଛି ବୋଲି ସେ କହିଛନ୍ତି ।

Related Posts