ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ପିଏମ ଶ୍ରୀ ସ୍କୁଲ ପ୍ରତିଷ୍ଠା କରାଯିବ । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱର ଆଇଆଇଟି ପରିସରରେ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ପାଇଁ ଭୂମିପୂଜନ କରିଛନ୍ତି । ଭୂମିପୂଜନ ଅବସରରେ ସେ କହିଛନ୍ତି ଯେ, ଏହି ବିଦ୍ୟାଳୟ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଓଡ଼ିଶାରେ ଆଇଆଇଟି ଭୁବନେଶ୍ୱର, ଏନଆଇଟି ରାଉରକେଲା, ଆଇଆଇଏମ ସମ୍ବଲପୁର, ବ୍ରହ୍ମପୁର ଆଇଜର ଭଳି ଉଚ୍ଚ ଶିକ୍ଷାନୁଷ୍ଠାନ ରହିଛି । ମିଶନ ‘ପୂର୍ବୋଦୟ’ ଅଧୀନରେ ଓଡ଼ିଶାର ପିଲା ମାନଙ୍କୁ ବୌଦ୍ଧିକ ଜଗତରେ ଉଚ୍ଚ ସ୍ଥାନକୁ ନେବା ଆମର ସାମୂହିକ ଦାୟିତ୍ୱ ହେବା ଉଚିତ୍ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ମୋଦୀ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଧିକ କେନ୍ଦ୍ରୀୟ ବିଦ୍ୟାଳୟ, ନବଦୋୟ ଓ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ସାମଗ୍ରିକ ଶିକ୍ଷା ଯୋଜନାରେ ଆଗାମୀ ୪ବର୍ଷ ମଧ୍ୟରେ ୩ ଲକ୍ଷ କୋଟି ଖର୍ଚ୍ଚ ହେବ ଓ ଓଡ଼ିଶା ସମେତ ଦେଶରେ ଶିକ୍ଷାର ଗୁଣାତ୍ମକ ମାନ ବଢ଼ିବ । ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ପିଏମ ଶ୍ରୀ ସ୍କୁଲ ପ୍ରତିଷ୍ଠା କରାଯିବ । ନୂଆ ସ୍କୁଲ ନୁହେଁ ବରଂ ପୁରୁଣା ସ୍କୁଲରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ନେଇ ଭାରତ ସରକାର ସହଯୋଗୀ ହେବେ । ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
