ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ନରୱେର ପ୍ରେସ୍‌ କାର୍ଯ୍ୟକ୍ରମକୁ ନେଇ ବଢୁଛି ଚର୍ଚ୍ଚା । ବିରୋଧୀଙ୍କ ଟାର୍ଗେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିବା ନରୱେର ଏକ ମିଳିତ ପ୍ରେସ୍‌ କାର୍ଯ୍ୟକ୍ରମକୁ ନେଇ ଭାରତରେ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମର ପ୍ରଶ୍ନ ଗ୍ରହଣ ନକରିବା ନିଷ୍ପତ୍ତିକୁ ନେଇ କେତେକ ବିଦେଶୀ ସାମ୍ବାଦିକ ବିରୋଧ କରିଥିବା ବେଳେ ଦେଶ ଭିତରେ ଶାସକ ବିଜେପି ଏବଂ ବିରୋଧୀ କଂଗ୍ରେସ ମଧ୍ୟରେ ରାଜନୈତିକ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ନରୱେରେ ଆୟୋଜିତ ଏକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଗଣମାଧ୍ୟମର କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ। ଏହାକୁ ନେଇ ନରୱେର ମହିଳା ସାମ୍ବାଦିକ ହେଲି ଲିଙ୍ଗ୍ ସେଠାରେ ସ୍ୱର ଉତ୍ତୋଳନ କରିବା ସହ ମୋଦୀଙ୍କୁ ସମାଲୋଚନା କରି ଏକ ଭିଡିଓ ପୋଷ୍ଟ କରିଥିଲେ।

ସେହି ଭାଇରାଲ କ୍ଲିପ୍‌ରେ ଜଣେ ଭାରତୀୟ ଅଧିକାରୀଙ୍କୁ ପଚାରୁଥିବାର ଶୁଣାଯାଉଛି, ‘ଆପଣ ବିଶ୍ୱର ସବୁଠାରୁ ସ୍ୱାଧୀନ ଗଣମାଧ୍ୟମର ପ୍ରଶ୍ନଗୁଡ଼ିକର ଉତ୍ତର କାହିଁକି ଦେଉନାହାନ୍ତି?’ ସାମ୍ବାଦିକା ଜଣକ ପରବର୍ତ୍ତୀ ସମୟରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ଭାରତୀୟ ଅଧିକାରୀମାନଙ୍କୁ ମାନବାଧିକାର ଏବଂ ଗଣମାଧ୍ୟମର ସ୍ୱାଧୀନତା ଉପରେ ପ୍ରଶ୍ନ କରିଥିଲେ। ଭାରତୀୟ କୂଟନୀତିଜ୍ଞ ସିବି ଜର୍ଜ ଏହାର ଦୃଢ଼ ଜବାବ ଦେଇ କହିଥିଲେ ଯେ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ସାମ୍ବିଧାନିକ ଅଧିକାର ସମ୍ପୂର୍ଣ୍ଣ ସୁଦୃଢ଼ ଓ ସ୍ବୟଂଶାସିତ ଅଟେ।