ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ଅପରାଧୀ ଭଳି ପୋଲିସ ଆକ୍ରମଣ କରିବା ଚିନ୍ତାଜନକ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର,୧/୩(ସତ୍ୟପାଠ ବ୍ୟୁରୋ): ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଓ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ଗତକାଲି ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ ସମୟରେ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ଘଟଣାରେ ଅନେକ ଯୁବମୋର୍ଚ୍ଚା କର୍ମୀଙ୍କ ସହ କିଛି ପୋଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି। ତେବେ ଯୁବମୋର୍ଚ୍ଚା କର୍ମୀଙ୍କ ଉପରେ ପୋଲିସ ମାତ୍ରାଧିକ ଓ ଏକପାଖିଆ କାର୍ଯ୍ୟାନୁଷ୍ଠାନ ନେଇଥିବା କହି ଏହାକୁ କଠୋର ଭାଷାରେ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଟ୍ୱିଟ୍ କରି ରାଜ୍ୟ ସରକାର ଓ ପୋଲିସ ବିଭାଗକୁ ଟାର୍ଗେଟ କରି କହିଛନ୍ତି ଯେ, ଗତକାଲି ଆମ ଦଳର ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଥିବା ସମୟରେ ପୋଲିସ ଯେଉଁଭଳି ଭାବରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ତାକୁ ମୁଁ କଠୋର ଭାଷାରେ ନିନ୍ଦା କରୁଛି ।

ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି । ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ହେଉଛନ୍ତି ଏକ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତା । ମାତ୍ର ପୋଲିସ ସେମାନଙ୍କୁ ରାଜନୈତିକ କାର୍ଯ୍ୟକର୍ତ୍ତା ଭାବରେ ନୁହେଁ ବରଂ ଅପରାଧୀ ଭାବରେ ଅମାନୁଷିକ ଭାବେ ଆକ୍ରମଣ କରିଛି, ତାହା ଚିନ୍ତାଜନକ ।

ଓଡ଼ିଶାର ପୋଲିସ ପ୍ରଶାସନ ଶାସକ ଦଳର ହିତରେ କାର୍ଯ୍ୟ କରିବା ପାଇଁ ନୁହେଁ ବରଂ ସାଢେ ୪ କୋଟି ଓଡ଼ିଆଙ୍କ ସୁରକ୍ଷାରେ ନିୟୋଜିତ ଅଛନ୍ତି । କିଛି ପୋଲିସ ଅଧିକାରୀ ଯେଉଁଭଳି ଭାବେ ଏକପାଖିଆ ନିଷ୍ପତି ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ଏହା ଗଣତନ୍ତ୍ର ପାଇଁ ଶୋଭନୀୟ ନୁହେଁ ବୋଲି ସେ ଟ୍ୱିଟ୍ କରିଛନ୍ତି ।

Related Posts