(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ରାଜ୍ୟରେ ବର୍ଷକୁ ପାଖାପାଖି ୮୦ ପ୍ରତିଶତ ଅଭିଯୁକ୍ତ ତଦନ୍ତ ଅଭାବରୁ ଅଦାଲତରୁ ନିର୍ଦ୍ଦୋଷରେ ଖଲାସ ହୋଇଯାଉଛନ୍ତି। ରାଜ୍ୟରେ ପୁଲିସ ବିଭାଗରେ ଅଫିସର ପଦବି ଖାଲିପଡ଼ିଥିବା କାରଣରୁ ଉଭୟ ହାବିଲଦାର ଓ କନଷ୍ଟେବଳଙ୍କୁ ତଦନ୍ତ କ୍ଷମତା ହସ୍ତାନ୍ତର କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏହି ନିଷ୍ପତ୍ତିକୁ ଏବେ ୨ ବର୍ଷ ପୂରି ଯାଇଥିଲେ ବି କାର୍ଯ୍ୟକାରୀ ହୋଇ ପାରିଲାନାହିଁ। ଦୀର୍ଘ ୨୦ ବର୍ଷ ପରେ ଏଏସଆଇ ପଦୋନ୍ନତି ବୋର୍ଡ ବସାଇଥିବା ପୁଲିସ ବିଭାଗ ଚୟନ ପ୍ରକ୍ରିୟାରେ ପାତରଅନ୍ତର ଅଭିଯୋଗ ହେଉଛି। ତେଣୁ ଏଭଳି ସ୍ଥିତିରେ ଥାନାସ୍ତରରେ ବିଭିନ୍ନ କାର୍ଯ୍ୟ ବିଶେଷ କରି ତଦନ୍ତ କରିବା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ରାଜ୍ୟରେ ପୁଲିସ ବିଭାଗରେ ତଦନ୍ତ ପ୍ରକ୍ରିୟା ସହ ଜଡିତ ଇନସ୍ପେକ୍ଟରରୁ ଏଏସ୍ଆଇ ପାହ୍ୟା ପର୍ଯ୍ୟନ୍ତ ଅଧିକାରୀଙ୍କ ମଞ୍ଜୁରିପ୍ରାପ୍ତ ପଦବି ସଂଖ୍ୟାରୁ ୨୮୯୨ ପଦ ଖାଲି ପଡ଼ିଛି।
ପୁଲିସ ବିଭାଗର ତଥ୍ୟ ମୁତାବକ ୨୦୧୯ରେ ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାର ୨୧.୫ ପ୍ରତିଶତ ଥିବାବେଳେ ୨୦୧୮ରେ ଏହା ୫.୭ ପ୍ରତିଶତ ରହିଥିଲା। ସେହିପରି ୨୦୧୭ରେ ୯.୩, ୨୦୧୬ରେ ୧୦.୪, ୨୦୧୫ରେ ୯.୫ ପ୍ରତିଶତ ରହିଥିଲା। ତେବେ ୨୦୧୯ରେ ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି ପାଇଥିବା ବେଳେ ୮୦ ପ୍ରତିଶତ ଅଭିଯୁକ୍ତ କୋର୍ଟରୁ ନିର୍ଦ୍ଦୋଷରେ ଖଲାସ ହୋଇଯାଉଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଗୁଣାତ୍ମକ ତଦନ୍ତ କରିବା ପାଇଁ ହାବିଲଦାର ଓ କନଷ୍ଟେବଳମାନେ ଅଫିସରଙ୍କୁ ସହଯୋଗ କରିବା ପାଇଁ ୨୦୧୮ ଜାନୁଆରି ୨୭ ତାରିଖରେ ପୁଲିସ ବିଭାଗ ଗୃହ ବିଭାଗକୁ ସୁପାରିସ କରିଥିଲା। ୨୦୧୯ ଜାନୁଆରି ପ୍ରଥମ ସପ୍ତାହରେ ଗୃହ ବିଭାଗ ଏହି ପ୍ରସ୍ତାବରେ ମୋହର ମାରିଥିଲେ ସୁଦ୍ଧା ସିଆର୍ପିସି ଧାରା ୧୫୭ ବଳରେ ରାଜ୍ୟରେ ଥାନା ସ୍ତରରେ କାର୍ଯ୍ୟ କରୁଥିବା ସିଆଇ ହାବିଲ୍ଦାର ଏବ˚ କନ୍ଷ୍ଟେବଳଙ୍କୁ ତଦନ୍ତ ଅଧିକାର ପ୍ରଦାନ କରାଯାଇଥିଲା।
ସର୍ବାଧିକ ୩ ବର୍ଷ ପର୍ଯ୍ୟନ୍ତ ଦଣ୍ତବିଧାନ ବ୍ୟବସ୍ଥା ଥିବା ଅପରାଧିକ ମାମଲାର ତଦନ୍ତରେ ହାବିଲଦାର ଓ କନଷ୍ଟେବଳମାନେ ଅଫିସରଙ୍କୁ ସାହାଯ୍ୟ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ମୋଟର ଚୋରି ମାମଲା, ଅବକାରୀ ମାମଲାରେ ସେମାନଙ୍କୁ ତଦନ୍ତ ଭାର ପ୍ରଦାନ କରାଯିବା ନେଇ ପ୍ରସ୍ତାବ ଦିଆଯାଇଥିଲା । ହାବିଲଦାର ଓ କନଷ୍ଟେବଳମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ୫ ସପ୍ତାହ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ପୁଲିସ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ରେ ଟ୍ରେନିଂ ଦିଆଯିବ। ପରେ ଥାନା ସ୍ତରରେ ୪୫ ଦିନ ଟ୍ରେନିଂ ଏବଂ ଟ୍ରେନିଂ ଶେଷ ହେବା ପରେ ପୁଲିସ ଡିଜି କିମ୍ବା ଆଇଜିଙ୍କ ପକ୍ଷରୁ ପରୀକ୍ଷା କରାଯିବ।
ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ପୁଲିସ ବିଭାଗ ଏହି ନିଷ୍ପତ୍ତି ନେଇଥିବା କଥା ଭୁଲିଗଲାଣି। ଡାକ୍ତର ଆର.ପି. ଶର୍ମା ପୁଲିସ ଡିଜି ଥିବା ସମୟରେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ବର୍ତ୍ତମାନ ଏହା କାର୍ଯ୍ୟକାରୀ ନହେବା ସବୁଠାରୁ ବଡ଼ ସମସ୍ୟା ହୋଇଛି। ଜିଲ୍ଲାସ୍ତରର ହାବିଲଦାର ଓ କନଷ୍ଟେବଳଙ୍କୁ ୨୦୧୯ ଶେଷ ସୁଦ୍ଧା ଏସପି/ଡିସିପିଙ୍କ ପକ୍ଷରୁ ଏଥିପାଇଁ ସମ୍ମତିପତ୍ର ମଗାଯାଇଥିଲା। କର୍ମଚାରୀମାନେ ସମ୍ମତିପତ୍ର ଦେଇଥିଲେ ସୁଦ୍ଧା ପରବର୍ତ୍ତି ପ୍ରକ୍ରିୟା ଆରମ୍ଭ ହେଲା ନାହିଁ।
ଦୀର୍ଘ ୨୦ ବର୍ଷ ପରେ ୨୦୨୦ ଡିସେମ୍ବରରେ ପୁଲିସ ବିଭାଗ ଏଏସଆଇ ବୋର୍ଡ ବସାଇଲା। ମୋଟ ୪ ହଜାର ୫୦୦ କନଷ୍ଟେବଳ ଏଥିପାଇଁ ଆବେଦନ କରିଥିଲେ। ୨୦୦ ମାର୍କର ହୋଇଥିବା ପରୀକ୍ଷାରେ ୨୭ ଶହ ପ୍ରାର୍ଥୀ ଉତ୍ତୀର୍ଣ୍ଣ ହୋଇଥିଲେ। ୧୧ଶହ ପାଖାପାଖି ପ୍ରାର୍ଥୀ ୫୦ ପ୍ରତିଶତରୁ କମ୍ ମାର୍କ ରଖିଥିଲେ ସୁଦ୍ଧା ବରିଷ୍ଠତା ଆଧାରରେ ଏମାନଙ୍କୁ ଏଏସଆଇ ପାହ୍ୟାକୁ ପଦୋନ୍ନତି ମିଳିଥିଲା। ବାକି ୧୬ଶହ ପ୍ରାର୍ଥୀ ୮୦ ପ୍ରତିଶତରୁ ଅଧିକ ମାର୍କ ରଖିଥିଲେ ବି କନିଷ୍ଠତା ଆଧାରରେ ସେମାନଙ୍କୁ ପଦୋନ୍ନତି ପାଇଁ ଯୋଗ୍ୟ ବିବେଚିତ କରାଗଲା ନାହିଁ। ବାଦ୍ ପଡ଼ିଥିବା ଏହି ୧୬ ଶହ ପ୍ରାର୍ଥୀଙ୍କୁ ପୁଣି ନୂଆ ବୋର୍ଡ ବସିଲେ ପୁନଃ ପରୀକ୍ଷା କରି ପଦୋନ୍ନତି ଦିଆଯିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ଏହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ଏହାକୁ ବିରୋଧ କରି ପଦୋନ୍ନତି ପ୍ରକ୍ରିୟାରୁ ବାଦ୍ ପଡ଼ିଥିବା କର୍ମଚାରୀ ଅଦାଲତର ଦ୍ବାରସ୍ଥ ହୋଇଛନ୍ତି।