ସୁନ୍ଦରଗଡ଼ : ଅଟକ ରହିଲେ ୭୨ ଜଣ ମହିଳା । ୧୪୪ ଧାରା ଭାଙ୍ଗିବା ଅଭିଯୋଗରେ ମହିଳା ମାନଙ୍କୁ ପୋଲିସ ଅଟକ ରଖିଛି । ସୁନ୍ଦରଗଡ଼ ଏନଟିପିସି ଡୁଲିଙ୍ଗା କୋଇଲା ଖଣି ସମ୍ମୁଖରେ ଧାରଣା ଦେଇ ଖଣି ବନ୍ଦ କରିବା ଘଟଣାକୁ ନେଇ ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । ସୋମବାରଠୁ ମାଦ୍ରୀ କାଲୋ ଗୃହରେ ୭୨ଜଣ ମହିଳାଙ୍କୁ ଅଟକ ରଖିଛି ହେମଗିରି ପୋଲିସ । ଚାକିରି ପ୍ରଦାନ ଦାବିରେ ବିବାହିତ ମହିଳା ମାନେ ଦୀର୍ଘ ଦିନ ଧରି ଆନ୍ଦୋଳନ କରି ଆସୁଛନ୍ତି। ଏନଟିପିସି ଡୁଲିଙ୍ଗା ଖଣି ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଥିଲା । ୧୪୪ ଧାରା ଭଙ୍ଗ କରିବା ଅଭିଯୋଗରେ ପୋଲିସ ୭୨ ଜଣ ମହିଳାଙ୍କୁ ଅଟକ ରଖିଛି।
ଖବର ଅନୁଯାୟୀ, ବିବାହିତ ମହିଳାମାନଙ୍କୁ ବିସ୍ଥାପିତର ମାନ୍ୟତା ଦେଇ କମ୍ପାନୀରେ ଚାକିରି ଓ ଅନ୍ୟାନ୍ୟ ସୁବିଧା ଦାବିରେ ମହିଳାମାନେ ଦୀର୍ଘ ୮ମାସ ଧରି ଖଣି କାର୍ଯ୍ୟାଳୟ ଆଗରେ ଧାରଣା ଦେଇ ଆସୁଛନ୍ତି। ପ୍ରଶାସନ ସେମାନଙ୍କ ଦାବି ଶୁଣୁନଥିବା ବେଳେ ସେମାନେ ସୋମବାର ଖଣି ବନ୍ଦ ଡାକରା ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ରବିବାର ଠାରୁ ୧୪୪ ଧାରା ଲାଗୁ କରିଥିଲା । ଆନ୍ଦୋଳନକାରୀ ୧୪୪ ଧାରା ଉଲ୍ଲଙ୍ଘନ କରି ଖଣି ବନ୍ଦ କରୁଥିବା ସମୟରେ ଡୁଲିଙ୍ଗା, ବେଳଦିହି, ମଝାପଡ଼ା, ଖପରିକଛାର ଗାଁର ମହିଳାମାନଙ୍କୁ ପୋଲିସ ଅଟକ ରଖିଛି। ଘଟଣାସ୍ଥଳରେ ସଦର ଉପଜିଲ୍ଲାପାଳ, ହେମଗିରି ତହସିଲଦାର ପହଞ୍ଚିଛନ୍ତି । ଅନ୍ୟପଟେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସ୍ଥାନୀୟ ଲୋକମାନେ ପ୍ରତିବାଦ କରିଛନ୍ତି ।
