ମୁମ୍ବାଇ: ମହାରାଷ୍ଟ୍ରରେ ଜାରୀ ରହିଛି ରାଜନୈତିକ ସଙ୍କଟ । ଜଟିଳ ସ୍ଥିତି ମଧ୍ୟରେ ଗତି କରୁଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ପତ୍ନୀ ରଶ୍ମି ଏବେ ସାମ୍ନାକୁ ଆସିଛନ୍ତି । ବିଦ୍ରୋହୀ ବିଧାୟକମାନଙ୍କ ପତ୍ନୀଙ୍କ ସହିତ ଯୋଗାଯୋଗ କରୁଛନ୍ତି । ସେମାନେ ନିଜ ନିଜର ସ୍ବାମୀଙ୍କୁ ବୁଝାଶୁଝା କରି ଫେରି ଆସିବାକୁ କୁହନ୍ତୁ ବୋଲି ତାଙ୍କୁ କହୁଥିବା ସୂଚନା ମିଳିଛି ।

ପ୍ରାପ୍ତ ସୂଚନା ଅନୁସାରେ, ସମ୍ପ୍ରତି ଗୌହାଟୀ ହୋଟେଲ୍‌ରେ ଥିବା କେତେକ ବିଦ୍ରୋହୀ ବିଧାୟକମାନଙ୍କ ନିକଟକୁ ଉଦ୍ଧବ ଠାକ୍‌ରେ ମଧ୍ୟ ‘ମେସେଜ୍‌’ ପଠାଉଛନ୍ତି।

ସେପଟେ, ଶିବସେନା ବିଦ୍ରୋହୀ ନେତା ଏକନାଥ ସି‌ନ୍ଦେ ବିଜେପି ନେତା ଦେବେନ୍ଦ୍ର ଫଡ଼ନବୀଶଙ୍କୁ ଗତରାତିରେ ଗୁଜରାଟରେ ଭେଟି ମହାରାଷ୍ଟରେ ସମ୍ଭାବ୍ୟ ସରକାର ଗଠନ କରିବା ଲାଗି ଆଲୋଚନା କରିଥିବା କଥା ବିଶେଷସୂତ୍ରରୁ ଜଣା ପଡ଼ିବା ପରେ ‘ଟିମ୍‌ ଠାକ୍‌ରେ’ କହିଛି ଯେ, ବି‌ଦ୍ରୋହୀମାନଙ୍କ ବିଶ୍ବାସଘାତକତାକୁ ଭୁଲି ହେବ ନାହିଁ।

ଗତ ରାତିରେ ଆସାମ ମନ୍ତ୍ରୀ ଅଶୋକ ସିଙ୍ଘଲ ମଧ୍ୟ ରେଡିସନ୍‌ ବ୍ଲୁ ହୋଟେଲ୍‌କୁ ଯାଇ ଏକନାଥ ସିନ୍ଦେଙ୍କ ସମେତ ବିଦ୍ରୋହୀ ମହାରାଷ୍ଟ୍ର ବିଧାୟକମାନଙ୍କୁ ଭେଟିଥିଲେ।

ଭବିଷ୍ୟତ ପାଇଁ ରଣନୀତି ସଂକ୍ରାନ୍ତରେ ଆଲୋଚନା କରିବା ଲାଗି ଆଜି ମଧ୍ୟାହ୍ନ ୧୨ଟାରେ ଗୌହାଟୀସ୍ଥିତ ରେଡିସନ୍‌ ବ୍ଲୁ ହୋଟେଲ୍‌ରେ ଏକନାଥ ସିନ୍ଦେ ବିଧାୟକମାନଙ୍କର ବୈଠକ ଡାକିଛନ୍ତି।

ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକ୍‌ରେ ମଧ୍ୟ କହିଛନ୍ତି, ବଳପୂର୍ବକ ଗୌହାଟୀକୁ ନିଆଯାଇଥିବା ବିଧାୟକମାନଙ୍କ ପିଛେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଉଛି। ଦୈନିକ ୯ ଲକ୍ଷ ଟଙ୍କା। ସେହି ଆସାମରେ ଏବେ ଲକ୍ଷ ଲକ୍ଷ ବନ୍ୟା ପ୍ରପୀଡ଼ିତ ଜନତା ଆପଣା ଭାଗ୍ୟକୁ ଆଦରି ପଡ଼ିଛନ୍ତି।

ଆଜି ସକାଳେ ସେନାର ମୁଖପାତ୍ର ସଞ୍ଜୟ ରାଉତ ବିଦ୍ରୋହୀମାନଙ୍କୁ ବିଦ୍ରୂପ କରି କହିଛନ୍ତି, ଆପଣମାନେ କେତେ ଦିନ ଗୌହାଟୀରେ ଆତ୍ମ‌େଗ‌ୋପନ କରିବେ।