ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଘଟିଛି ଏକ ଦୁଃଖଦ ଘଟଣା । ପିକ୍‌ନିକ୍ ଯିବା କାଳ ପାଲଟିଛି । ଓଲଟି ପଡ଼ିଛି ପିକ୍‌ନିକ୍ ବସ୍। ଘଟଣାସ୍ଥଳରେ ହିଁ ଦୁଇ ଛାତ୍ରଙ୍କ ଜୀବନ ଚାଲିଯାଇଛି ।

ରବିବାର ବିଳମ୍ବିତ ରାତିରେ ଖୋପୋଲି ନିକଟ ଏକ ପାହାଡିଆ ଅଞ୍ଚଳରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଫେରୁଥିବା ଏକ ପିକ୍‌ନିକ୍ ବସ୍ ଓଲଟିପଡିଛି। ଏଥିରେ ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪୭ ଜଣ ଆହତ ହୋଇଛନ୍ତି। ବ୍ରେକ୍ ଫେଲ୍ ହେବା ଯୋଗୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଏହାପରେ ଏହି ଦୁର୍ଘଟଣା ଘଟିଥିବା ପୁଲିସ ସନ୍ଦେହ କରୁଛି।

ପୁଲିସ ସୂଚନା ମୁତାବକ, ରବିବାର ରାତି ପ୍ରାୟ ୮ଟା ବେଳେ ଲୋନାବ୍‌ଲା ହିଲ୍ ଷ୍ଟେସନ ଠାରୁ ପ୍ରାୟ ୧୪ କିଲୋମିଟର ଦୂର ପୁରୁଣା ମୁମ୍ବାଇ-ପୁଣେ ଜାତୀୟ ରାଜପଥର ମ୍ୟାଜିକ ପଏଣ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଘରୋଇ ବସ୍‌ରେ ଚେମ୍ବୁର ସ୍ଥିତ କୋଚିଂ ସେଣ୍ଟରର ୪୯ ଛାତ୍ରଛାତ୍ରୀ ଥିଲେ। ସମସ୍ତ ଛାତ୍ରଛାତ୍ରୀ ୧୦ମ ଶ୍ରେଣୀର ଥିବା ଜଣାପଡିଛି।

ଏହି ଦୁର୍ଘଟଣାରେ ସବୁ ଛାତ୍ରଛାତ୍ରୀଙ୍କ ସମେତ ବସ୍ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରି ଲୋନାବଲା ଓ ଖୋପୋଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ମୃତ ଦୁଇ ଛାତ୍ରଙ୍କ ବୟସ ୧୭ ଓ ୧୬ ବର୍ଷ ଥିବା ଜଣାପଡିଛି। ପୁଲିସ ପ୍ରାଥମକି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।