ନୀତିଶ କୁମାରଙ୍କ ଦିଲ୍ଲୀ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଲେ ପ୍ରଶାନ୍ତ କିଶୋର: ଏକାଠି ବସି ଚା ପିଇଦେଲେ ବିରୋଧୀ ଏକଜୁଟ୍ ହୁଅନ୍ତି ନାହିଁ

ନୂଆଦିଲ୍ଲୀ: ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ଵାଧୀନ ଏନଡିଏକୁ ମାତ୍ ଦେବା ପାଇଁ ବିରୋଧି ଏକଜୁଟ ହେବା ନିତ୍ୟାନ୍ତ ଆବଶ୍ୟକ। ତେବେ ଏନେଇ ବିରୋଧୀଦଳଗୁଡିକ ପକ୍ଷରୁ କସରତ ଆରମ୍ଭ ହୋଇ ଗଲାଣି। ବିରୋଧୀଦଳଗୁଡିକୁ କେମିତି ଏକଜୁଟ୍ କରାଯାଇ ପାରିବ ସେ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପକ୍ଷରୁ ଅଧିକ ତତ୍ପର ପ୍ରକାଶ ପାଇଛି।

ନିକଟରେ ସେ ତିନି ଦିନିଆ ଦିଲ୍ଲୀ ଗସ୍ତ କରି ଅନେକ ବିରୋଧୀ ଦଳର ନେତାଙ୍କୁ ଭେଟିଛନ୍ତି। ଯାହାକୁ ନେଇ ରାଜନୀତି ବେଶ୍ ସରଗରମ ହୋଇପଡିଛି । ସେପଟେ ଏନେଇ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ନୀତିଶ କୁମାରଙ୍କ ଦିଲ୍ଲୀ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଶନିବାର ସେ କହିଛନ୍ତି, ଚାରି ଜଣ ନେତାଙ୍କ ସହ ମିଶି ଚା ପିଇଦେଲେ ଜନତାଙ୍କ ଉପରେ କୌଣସି ଫରକ ପଡେ ନାହିଁ। ଏହି ସାକ୍ଷାତ ଆପଣଙ୍କ ନିର୍ବାଚନ ଲଢିବାର କ୍ଷମତା, ଆପଣଙ୍କ ବିଶ୍ଵସନୀୟତା ଉପରେ କଣ ପ୍ରଭାବ ପକାଇବ ବୋଲି ପ୍ରଶାନ୍ତ କିଶୋର ପ୍ରଶ୍ନ କରିଛନ୍ତି।

ବିହାରରେ ନୀତିଶ କୁମାରଙ୍କ ବିଜେପି ଛାଡି ମହାମେଣ୍ଟରେ ମିଶିବା ଏବଂ ସରକାର ଗଠନକୁ ପିକେ ଏକ ରାଜ୍ୟ ଆଧାରିତ ଘଟଣା ଦର୍ଶାଇଛନ୍ତି। ମହାରାଷ୍ଟ୍ରରେ ପ୍ରଥମେ ମହାମେଣ୍ଟର ସରକାର ଥିଲା ଆଉ ଏବେ ଏନଡିଏର ସରକାର। କଣ ଏହାର ପ୍ରଭାବ ବିହାର ଉପରେ ପଡିଲା କି ? ନୀତିଶ କୁମାରଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅନେକ ରାଜନୈତିକ ଅର୍ଥ ବାହାର କରାଯାଉଛି, ମାତ୍ର ଏହି ଘଟଣାର ରାଷ୍ଟ୍ରୀୟ ରାଜନୀତିରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

ସେ କହିଛନ୍ତି, ୨୦୧୫ର ମହାମେଣ୍ଟକୁ ଜନତା ଭୋଟ୍ ଦେଇଥିଲେ। ପରେ ନୀତିଶ ମେଣ୍ଟରୁ ଓହରି ଏନଡିଏରେ ସାମିଲ୍ ହୋଇଗଲେ। ପୁଣି ନିଜର ମହାତ୍ଵାକାଂକ୍ଷୀ ପାଇଁ ବିଜେପିକୁ ଛାଡି ଦେଲେ। ଏହି ସବୁ ଘଟଣା ମଧ୍ୟରେ ଅନେକ ପ୍ରଭେଦ ରହିଛି। କିନ୍ତୁ ଏହା ଭାବିବା ଭୁଲ୍ ଯେ, ବିହାରରେ ମେଣ୍ଟ ଫର୍ମୁଲା ପୂରା ଦେଶରେ ଲାଗୁ ହେବ।

ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର କହିଛନ୍ତି, ସ୍ଥିତି ଯାହା ବି ହେଉ ବିହାରରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଗାଦି ଛାଡି ପାରୁ ନାହାନ୍ତି। ଗତ ୧୦ ବର୍ଷରେ ସେ ଛଅ ଥର ମେଣ୍ଟ ଗଠନ କରି ସାରିଲେଣି। କେତେ ମନ୍ତ୍ରୀ ଆସିଲେଣି ଏବଂ ଗଲେଣି। କିନ୍ତୁ ଗୋଟିଏ ମୌଳିକ କଥା ନୀତିଶ ମୁଖ୍ୟମନ୍ତ୍ରୀ ପଦରେ ପୂର୍ବବତ ରହିଛନ୍ତି। ଫେଭିକଲ୍‌ ଅଠା ଛାଡି ଯାଉଛି ହେଲେ ମୁଖ୍ୟମନ୍ତ୍ରୀ ଗାଦି ଏବଂ ନୀତିଶ କୁମାରଙ୍କ ଯୋଡି ଜମାରୁ ଛାଡୁନି।

ସୂଚନାଯୋଗ୍ୟ, ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ବିରୋଧୀଙ୍କୁ ଏକଜୁଟ୍ କରିବା ପ୍ରୟାସରେ ନୀତିଶ କୁମାର ସେପ୍ଟେମ୍ବର ୫ରୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଥିଲେ। ଏହି ସମୟରେ ସେ ୧୦ ବିରୋଧୀ ନେତାଙ୍କୁ ଭେଟିଛନ୍ତି। ବିରୋଧୀ ଦଳ ମଧ୍ୟ ନୀତିଶଙ୍କ ଉଦ୍ୟମକୁ ସମର୍ଥନ କରିଛନ୍ତି ଏବଂ ସଂପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ସେ କଂଗ୍ରେସର ରାହୁଲ ଗାନ୍ଧୀ, ଜେଡିଏସର ଏଚଡି କୁମାରସ୍ଵାମୀ, ସିପିଏମର ସୀତାରାମ ୟେଚୁରୀ, ସିପିଆଇର ଡି ରାଜା, ଆମ୍ ଆଦମୀ ପାର୍ଟିର ଅରବିନ୍ଦ କେଜ୍ରିଓ୍ଵାଲ, ଇଣ୍ଡିଆନ ନ୍ୟାସନାଲ ଲୋକଦଳର ଓମ ପ୍ରକାଶ ଚୌଟାଲା, ଆରଜେଡିର ଶରଦ ଯାଦବ, ସମାଜବାଦୀ ପାର୍ଟିର ମୁଲାୟମ ସିଂହ ଯାଦବ, ଅଖିଳେଶ ଯାଦବ, ସିପିଆଇର ଏମଏଲର ଦୀପାଙ୍କର ଭଟ୍ଟାଚାର୍ଯ୍ୟ ଏବଂ ଏନସିପିର ଶରଦ ପାଓ୍ଵାରଙ୍କୁ ଭେଟିଛନ୍ତି। ଜେଡିୟୁ ପ୍ରୟାସ ଚଳାଇଛି ଯେ, ଜାତୀୟସ୍ତରରେ ଯେମିତି ହେଲେ ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରିବା। ଜେଡିୟୁର ପାଟନାର ଦପ୍ତରରେ ଯେଉଁ ସବୁ ପୋଷ୍ଟର ଲାଗିଛି ଏହା ଦର୍ଶାଉଛି ଯେ, ରାଜ୍ୟ ଦେଖିଲା ଏବଂ ଏବେ ଦେଶ ଦେଖିବ ନୀତିଶ କୁମାରଙ୍କ ଚେହେରା

Related Posts