ବିଜେପିରେ ଯୋଗ ଦେଲେ ପ୍ରେମାନନ୍ଦ ନାୟକ, ରାଜୁ ଦାସ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଜେପିରେ ଯୋଗ ଦେଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ । ନିଜ ସମର୍ଥକଙ୍କ ଗହଣରେ ଆସି ଆଜି ବିଜେପି ଦଳୀୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ତେଲକୋଇରୁ ୨୦୦୯-୧୪ ଓ ୨୦୧୯ରେ ବିଧାୟକ ହୋଇଥିଲେ ପ୍ରେମାନନ୍ଦ ନାୟକ । ୨୦୧୯ରେ ବିଧାୟକ ହେବାପରେ ସେ ମନ୍ତ୍ରୀ ମଧ୍ୟ ହୋଇଥିଲେ | ହେଲେ ଗତ କିଛି ଦିନ ପୂର୍ବରୁ ଦଳରେ ଅଣଦେଖା କରାଯାଉଥିବା କହି ବିଜେଡିରୁ ଇସ୍ତଫା ଦେଇଥିଲେ ପ୍ରେମାନନ୍ଦ ।

ସେହିଭଳି ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ମଧ୍ୟ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଗତ ଧାମନଗର ଉପ-ନିର୍ବାଚନ ବେଳେ ରାଜେନ୍ଦ୍ର ଦାସଙ୍କୁ ବିଜେଡି ଟିକେଟ ନ ମିଳିବାରୁ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢିଥିଲେ, ଯାହା ବିଜେଡି ପାଇଁ ବୁମେରାଂ ହୋଇଥିଲା । ପରେ ଦଳ ବିରୋଧୀ କାମ ପାଇଁ ରାଜେନ୍ଦ୍ରଙ୍କୁ ବିଜେଡି ବହିଷ୍କାର କରିଥିଲା । ତେବେ ସାଧାରଣ ନିର୍ବାଚନ ପୂର୍ବରୁ ରାଜେନ୍ଦ୍ର ଏବେ ବିଜେପି କ୍ୟାମ୍ପରେ ଯୋଗ ଦେଇଛନ୍ତି ।

ଅନ୍ୟପଟେ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ୨୦୦୪ରେ କଂଗ୍ରେସ ଟିକେଟରୁ ବିଧାୟକ ହୋଇଥିଲେ ନରେନ । କିନ୍ତୁ ୨୦୧୯ରେ କଂଗ୍ରେସ ଦଳ ତାଙ୍କୁ ଟିକେଟ ନଦେବାରୁ ଅସନ୍ତୁଷ୍ଟ ଥିଲେ । ଗତକାଲି ନରେନ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ଆଜି ବିଜେପିରେ ସାମିଲ ହୋଇଛନ୍ତି ।

Related Posts