ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନା ପୁଣିଥରେ କେନ୍ଦ୍ରର ଏନଡିଏ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ରାଷ୍ଟ୍ରପତି ଭବନରେ ଯିଏ ରାଷ୍ଟ୍ର ମୁଖ୍ୟ ଭାବେ ଅବସ୍ଥାପିତ ହେବେ ସେ ନିଜସ୍ୱ ସ୍ୱାଧୀନ ଚିନ୍ତାଧାରା ବ୍ୟକ୍ତ କରିପାରୁଥିବା ଉଚିତ୍‌। ରାଷ୍ଟ୍ରପତି କେବଳ ରବର ଷ୍ଟାମ୍ପ ହେବା ଅନୁଚିତ୍‌ ବୋଲି ସେ କହିଛନ୍ତି। ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ମନୋନୟନପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାଖଲ କରିଥିବାରୁ ଯଶବନ୍ତ ତାଙ୍କୁ ନିଶାନା କରିଛନ୍ତି। ଯଶବନ୍ତ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଦ୍ରୌପଦୀଙ୍କ ମନୋନୟନପତ୍ର ନୁହେଁ ତାଙ୍କ ନିଜସ୍ୱ ପେପର ଦାଖଲ କରିଛନ୍ତି। ନିରପେକ୍ଷ ବିଚାର ରଖିପାରୁଥିବା ଏବଂ ସମ୍ବିଧାନର ସୁରକ୍ଷା କରିପାରୁଥିବା ବ୍ୟକ୍ତି ହିଁ ରାଷ୍ଟ୍ରପତି ହେବା ଉଚିତ।

ଜଣେ ରାଷ୍ଟ୍ରପତି ସରକାରଙ୍କ ରବର ଷ୍ଟାମ୍ପ ହେବା ଅନୁଚିତ ବୋଲି ସେ କହିଛନ୍ତି। ସେପଟେ ଜଣେ ରାଷ୍ଟ୍ରପତିଙ୍କ ନିଜସ୍ୱ ଚିନ୍ତା ଓ ବିଚାରଧାରା ଥିବା ଉଚିତ। ବିନା ଦ୍ୱିଧା, ଭୟ, ସଙ୍କୋଚ ଓ ପକ୍ଷପାତରେ ରାଷ୍ଟ୍ରପତି ଦେଶର ହିତ ଅନୁସାରେ କାର୍ଯ୍ୟ କରିବା ବାଞ୍ଛନୀୟ। ମୁଁ ରାଷ୍ଟ୍ରପତି ଭାବେ ସମ୍ବିଧାନର ମର୍ଯ୍ୟାଦା ଓ ଗରିମା ରକ୍ଷା କରି କାମ କରିବାକୁ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଉଛି ବୋଲି ସେ କହିଛନ୍ତି। ଏହି ଅବସରରେ ଯଶବନ୍ତ କେନ୍ଦ୍ର  ସରକାରଙ୍କ ଅଗ୍ନିପଥ ଯୋଜନାକୁ  କଡ଼ା ସମାଲୋଚନା କରିଛନ୍ତି।  ଉକ୍ତ ସ୍କିମରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି। ସେ କହିଛନ୍ତି ଯେ, ଅଗ୍ନିପଥ ଯୋଜନା ବାବଦରେ ସଂସଦୀୟ ଷ୍ଟାଣ୍ଡି କମିଟି ସହ ଆଲୋଚନା କରାଯାଇ ନାହିଁ। ଏହି ଯୋଜନା ତରବରିଆ ଭାବେ ଲାଗୁ କରାଯାଇଛି। ଏଭଳି ଉପାୟରେ ଦେଶରେ ବେରୋଜଗାର ସମସ୍ୟା ସମାଧାନ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ।