ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଘଟିଥିବା ଅନିୟମିତତାକୁ ନେଇ ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । କିଏ ଏହାକୁ ପଞ୍ଜାବ ସରକାରଙ୍କ ଭୁଲ ଦର୍ଶାଉଥିବାବେଳେ ଆଉ କିଏ ଏହାକୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ଭୁଲ ଦର୍ଶାଉଛନ୍ତି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଉଲ୍ଲଂଘନ ପାଇଁ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ଡିଜି ଏନଆଇଏ, ଡିଜିପି ଚଣ୍ଡିଗଡ଼, ଆଇଜି ସୁରକ୍ଷା (ପଞ୍ଜାବ), ପଞ୍ଜାବର ରେଜିଷ୍ଟ୍ରାର ଜେନେରାଲ ଏବଂ ହରିୟାଣା ହାଇକୋର୍ଟ ମଧ୍ୟ ସାମିଲ ହେବେ ବୋଲି ସୂଚନା ମିଳିଛି ।
ସେପଟେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଉପୁଜିଥିବା ପ୍ରଶ୍ନ ଗୁଡ଼ିକର ସମାଧାନ ପାଇଁ କେବଳ ଏକପାଖିଆ ତଦନ୍ତରେ ଛାଡ଼ି ଦିଆଯାଇପାରିବ ନାହିଁ । ଏହି ପ୍ରସଙ୍ଗରେ ଏକ ନିରପେକ୍ଷ ଅନୁସନ୍ଧାନ ଆବଶ୍ୟକ । ଉଲ୍ଲଂଘନ ହେବାର କାରଣ ଜାଣିବା ଉଚିତ୍ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ଏହା ସହ ଘଟଣାର ସମସ୍ତ ରିପୋର୍ଟକୁ ଯଥାଶୀଘ୍ର ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି । ଅନ୍ୟପଟେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ରେଜିଷ୍ଟ୍ରାର୍ ଜେନେରାଲ୍ ସମସ୍ତ ସିଲ୍ ହୋଇଥିବା ରେକର୍ଡଗୁଡିକ କମିଟି ସଭାପତିଙ୍କ ନିକଟରେ ଦାଖଲ କରିବେ।
କେବଳ ଏତିକି ନୁହେଁ ବରଂ ସମସ୍ତ ଅନୁସନ୍ଧାନ କମିଟି ଉପରେ ପ୍ରତିବନ୍ଧକ ଜାରି ରହିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ଏହାର ବିସ୍ତୃତ ଆଦେଶରେ କମିଟି ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ କୌଣସି ସମୟ ସୀମା ସ୍ଥିର କରିନାହାଁନ୍ତି। କମିଟି ଏହାର ରିପୋର୍ଟ ଶୀଘ୍ର ପ୍ରଦାନ କରିବ ବୋଲି କୋର୍ଟ କହିଛନ୍ତି। ସୁରକ୍ଷା ଅବନତିର ମୂଳ କାରଣ କ’ଣ । ଏଥିପାଇଁ କିଏ ଦାୟୀ, ଏହାର ତାହା କମିଟି ଅନୁଧ୍ୟାନ କରିବ ବୋଲି ଦେଶର ସବୋର୍ଚ୍ଚ କୋର୍ଟ ସୂଚନା ଦେଇଛନ୍ତି ।
