୨୦୨୪ ପାଇଁ କସରତ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଭେଟିଲେ ଆରଜେଡି ନେତା ତେଜସ୍ୱୀ ଯାଦବ

ହାଇଦ୍ରାବାଦ(ସତ୍ୟପାଠ ବ୍ୟୁରୋ): ବର୍ତ୍ତମାନ ଠାରୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଅନେକ ରାଜନୈତିକ ଦଳ ସଜବାଜ ହେଉଛନ୍ତି । କିଏ ମେଣ୍ଟ ଗଠନ କରିବା ଯୋଜନାରେ ରହୁଛି ତ ଆଉ କିଏ ବିରୋଧୀଙ୍କୁ ଏକତ୍ର କରିବାରେ ଲାଗିଛି । ଏହା ମଧ୍ୟରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ସାକ୍ଷାତ କରିଥିବାର କଥା ସାମ୍ନାକୁ ଆସିଛି । ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ରାଷ୍ଟ୍ରୀୟ ଜନତା ଦଳର ନେତା ତଥା ବିହାରର ପୂର୍ବତନ ଡେପୁଟି ସିଏମ ତେଜସ୍ୱୀ ଯାଦବ ଏବଂ ଅନ୍ୟ ବରିଷ୍ଠ ନେତାମାନେ କେସିଆରଙ୍କୁ ଭେଟିବାକୁ ଆସିଥିଲେ। ଏହି ସଭାର ଦୃଶ୍ୟ ଆଞ୍ଚଳିକ ଦଳର ନେତାଙ୍କ ମଧ୍ୟରେ ପାରସ୍ପରିକ ବିଶ୍ୱାସ ଏବଂ ସମ୍ମାନ ବଞ୍ଚାଇବାରେ ସହାୟକ ହେବ ବୋଲି ଅନୁମାନ କରାଯାଉଛି ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେବଳ ତେଜସ୍ୱୀ ଯାଦବଙ୍କ ପିତା ତଥା ଭେଟେରାନ ଆରଜେଡି ନେତା ଲାଲୁ ଯାଦବଙ୍କୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝି ନାହାଁନ୍ତି ବରଂ ତାଙ୍କୁ ସକ୍ରିୟ ରାଜନୀତିକୁ ଫେରିବାକୁ ଏବଂ ଜାତୀୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। କାହିଁକିନା ଲାଲୁଙ୍କ ଅଭିଜ୍ଞତା ଏବଂ ମାର୍ଗଦର୍ଶନ ଯେକୌଣସି ସାମୁଖ୍ୟ ପାଇଁ ଅମୂଲ୍ୟ ହେବ । କେବଳ ଏତିକି ନୁହେଁ ବରଂ ଧର୍ମନିରପେକ୍ଷ ତଥା ଗଣତାନ୍ତ୍ରିକ ଶକ୍ତି ଗଠନ ପାଇଁ ଉଦ୍ୟମ କରିଥିବାରୁ ଲାଲୁ ଯାଦବ କେସିଆରଙ୍କୁ ଅଭିନନ୍ଦନ ଜଣାଇଥିବାର କଥା ମଧ୍ୟ ସାମ୍ନାକୁ ଆସିଛି ।

ଅନ୍ୟପଟେ ତେଜସ୍ୱୀ ଯାଦବ ବିହାରର ପୂର୍ବତନ ମନ୍ତ୍ରୀ ଅବଦୁଲ ବରୀ ସିଦ୍ଦିକି ଏବଂ ଆରଜେଡିର ଅନ୍ୟ ନେତା ସୁନୀଲ ସିଂ ଏବଂ ଭୋଲା ଯାଦବଙ୍କ ସହ ସ୍ୱତନ୍ତ୍ର ବିମାନ ଯୋଗେ ହାଇଦ୍ରାବାଦରେ ପହଞ୍ଚିଥିଲେ। ବିଜେପିକୁ ପରାସ୍ତ କରିବା ପାଇଁ ଏକାଠି ହେବା, ହାତ ମିଳାଇବା ଏବଂ ବିସ୍ତୃତ ରଣନୀତି ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ନେତାମାନେ ସହମତ ହୋଇଛନ୍ତି ବୋଲି ସୂଚନା ମିଳିଛି । ଏହି ସଭାରେ କେସିଆରଙ୍କ ପୁଅ ତଥା ତେଲେଙ୍ଗାନା ଆଇଟି ମନ୍ତ୍ରୀ କେ.ଟି.ରାମା ରାଓ ଏବଂ କେ.ଆର.ସି.ର ଜ୍ୱାଇଁ ଏବଂ ରାଜ୍ୟସଭା ସାଂସଦ ଯୋଗିନପାଲି ସନ୍ଥୋଶ ମଧ୍ୟ ଉପସ୍ଥିତ ଥିଲେ।

Related Posts