ଜେଲ୍ ଗଲେ କଲେଜରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ପ୍ରିନ୍ସିପାଲ

ଉଦଳା : କଲେଜରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିବା ପରେ ଦୀର୍ଘ ମାସ ହେବ ଫେରାର ଥିବା ପ୍ରିନ୍ସିପାଲ ପୋଲିସ ହାତରେ ଲାଗିଛନ୍ତି । ପରେ ତାଙ୍କୁ ପୋଲିସ ଜେଲ୍ ପଠାଇଛି । ଉଦଳା ଥାନା ଅଧିନ ରାଢୋ ଲୁଇପା ଡିଗ୍ରୀ କଲେଜର ପୂର୍ବତନ ପ୍ରିନ୍ସିପାଲ ଆଦିକନ୍ଦ ଦେ । ପୂର୍ବରୁ ତାଙ୍କ ନାଁ ରେ ସାଂଘାତିକ ଅଭିଯୋଗ ଥିଲା ବେଳେ ଏବେ ପୋଲିସ ତାଙ୍କୁ ଗିରଫ କରି ଜେଲ ପଠାଇଛି ।

କଲେଜରେ ବି-ଭୋକ କାର୍ଯ୍ୟକ୍ରମ ନିମେ ଆସିଥିବା ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରେ ସେ ମିଥ୍ୟା କାଗଜପତ୍ର ଦର୍ଶାଇ ଟଙ୍କା ଆତ୍ମସାତ କରିଥିଲେ । ଏହା ସହିତ କଲେଜ ଛାତ୍ରଛାତ୍ରୀଙ୍କ ଷ୍ଟାଇଫେଣ୍ଡ, ଅଧ୍ୟାପକ ଅଧ୍ୟାପିକାଙ୍କ ନିଯୁକ୍ତି, ଏପରିକି କଲେଜରେ ଦବଙ୍ଗଗିରି କରୁଥିବା ଅଭିଯୋଗ ପୂର୍ବରୁ ଆସିଥିଲା । ଯାହାକୁ ନେଇ ତଦନ୍ତ ମଧ୍ୟ ହୋଇଥିଲା ।

ହେଲେ ତଦନ୍ତ ପରେ ଟଙ୍କା ଆତ୍ମସାତ ହେବାର ସମସ୍ତ ତଥ୍ୟ ମିଳିବା ପରେ ସେ କଲେଜ ନ ଆସି ଫେରାର ହୋଇଯାଇଥିଲେ । ଏପରିକି ତାଙ୍କୁ ପ୍ରିନ୍ସିପାଲ ପଦବୀରୁ ବହିଷ୍କାର କରାଯିବା ସହିତ ଅନ୍ୟ ଜଣେ ଅଧ୍ୟାପକଙ୍କୁ ପ୍ରିନ୍ସିପାଲ ଭାବେ ନିଯୁକ୍ତି କରାଯାଇଥିଲା । ହେଲେ ଫେରାର ଥିବା ପୂର୍ବତନ ପ୍ରିନ୍ସିପାଲ ଆଦିକନ୍ଦ ଦେ ବିଭିନ୍ନ ତରିକାରେ କଲେଜରୁ ୬୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିଲେ ।

ଶେଷରେ ଗତକାଲି ସ୍ଥାନୀୟ କୋର୍ଟରେ ତାଙ୍କୁ ହାଜର କରିଥିଲା ଉଦଳା ପୋଲିସ୍ । କୋର୍ଟରେ ଜାମିନ୍ ନାମୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । କେବଳ କଲେଜ ଟଙ୍କା ଆତ୍ମସାତ ନୁହେଁ ବରଂ ଅନେକ ସମୟରେ କଲେଜର ଅଧ୍ୟାପକ, କର୍ମଚାରୀଙ୍କୁ ବିଭିନ୍ନ ଧମକ ମଧ୍ୟ ଦେଇ ଆସୁଥିଲେ ଏହି ପୂର୍ବତନ ପ୍ରିନ୍ସିପାଲ ।

Related Posts