ନୂଆଦିଲ୍ଲୀ : ପ୍ରଫେଟ ବୟାନ ବିବାଦକୁ ନେଇ ଏବେ ଜୋର୍ ଧରିଛି ରାଜନୀତି । ତାସଂଗକୁ ପ୍ରତିବାଦର ସ୍ବର ମଧ୍ୟ ଲମ୍ବିଛି । ଗୋଟିକ ପରେ ଗୋଟିଏ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଗୁଡ଼ିକ ଭାରତକୁ ଧମକ ଦେବାରେ ଲାଗିଛନ୍ତି । ଅଲକାଇଦା ପରେ ଏବେ ଇସ୍ଲାମିକ ଷ୍ଟେଟ୍ ମଧ୍ୟ ଭାରତରେ ଆତଙ୍କବାଦୀ ଆକ୍ରମଣ ଲାଗି ଧମକ ଦେଇଛି ।

ଏକ ଭିଡିଓ ଜାରି କରି ଆଇଏସର ଏକ ଶାଖା ଇସ୍ଲାମିକ ଷ୍ଟେଟ-ଖୁରାସାନ ପ୍ରୋଭିନ୍ସ ପକ୍ଷରୁ କୁହାଯାଇଛି ଯେ ଭାରତ ଉପରେ ଆକ୍ରମଣ କରାଯିବ । ପ୍ରଫେଟଙ୍କ ଅପମାନର ପ୍ରତିଶୋଧ ନେବାକୁ ହିନ୍ଦୁମାନଙ୍କ ଆକ୍ରମଣ କରାଯିବ ।

ଏହି ଭିଡିଓରେ ଆଏସ ପକ୍ଷରୁ କୁହାଯାଇଛି ଯେ ଭାରତର ମୁସଲମାନମାନେ ଏକତ୍ରିତ ହୋଇ ସେମାନଙ୍କ ସହ ହାତ ମିଳାଇବା ଉଚିତ । ଇସ୍ଲାମିକ ଷ୍ଟେଟ ହିନ୍ଦ ପ୍ରୋଭିନ୍ସ ନିଜର ନିରବତା ଭାଙ୍ଗି ସକ୍ରିୟ ହେବାକୁ ଏହି ଭିଡିଓରେ ଆହ୍ବାନ ଦିଆଯାଇଛି ।

ଏହା ପୂର୍ବରୁ ଗତ ଜୁନ ୬ ତାରିଖରେ ଅଲକାଇଦା ପକ୍ଷରୁ ଜାରି ଏକ ଧମକପୂର୍ଣ୍ଣ ପତ୍ରରେ କୁହାଯାଇଥିଲା ଯେ ଯେଉଁମାନେ ଇସଲାମର ଅପମାନ କରିଛନ୍ତି, ସେମାନଙ୍କୁ ହତ୍ୟା କରାଯିବ । ଅଲକାଇଦା ସଦସ୍ୟମାନେ ନିଜ ଶରୀରରେ ଓ ନିଜ ପିଲାମାନଙ୍କ ଶରୀରରେ ବିସ୍ଫୋରକ ବାନ୍ଧି ଆତ୍ମଘାତି ବିସ୍ଫୋରଣ କରି ଏପରି ଅପରାଧ କରିଥିବା ଲୋକମାନଙ୍କୁ ଉଡ଼ାଇଦେବେ ।