ପାଟଣା : ପ୍ରତି ଗାଁରେ ଚୋରା ମଦ ବିକ୍ରିକୁ ବିରୋଧ କରି ଆନ୍ଦୋଳନ ଚାଲୁଥିବା ଦେଖିବାକୁ ମିଳିଛି। ଶୁକ୍ରବାର ପାଟଣା ଅଞ୍ଚଳର ସ୍ଥାନୀୟ ମହିଳାମାନେ ପାଟଣା ଅବକାରୀ ଥାନା ଘେରଉ କରିଛନ୍ତି। କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ବାଇକଳା ପଞ୍ଚାୟତ ବାଲିତୋଟା ଗାଁର ମହିଳାମାନେ ମଦ ବିକ୍ରିକୁ ବିରୋଧ କରି ଏପରି କରିଛନ୍ତି। ସ୍ଥାନୀୟ ସରପଞ୍ଚ ହରିହର ନାଏକ ଓ ସମିତି ସଭ୍ୟା ରଜନୀ ଗନ୍ଧା ନାୟକଙ୍କ ନେତୃତ୍ୱରେ ଏହି ଘେରଉ କରାଯାଇଥିଲା।
ଏପରି ଅବାଧ ମଦ ବିକ୍ରିକୁ ବିରୋଧ କରି ତୁରନ୍ତ ଏହାକୁ ବନ୍ଦ କରିବା ପାଇଁ ମହିଳାମାନେ ଦାବି କରିଛନ୍ତି। ଏନେଇ ସେମାନେ ପାଟଣା ଅବକାରୀ ଥାନାଧିକାରୀ ରମେଶ ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ବାଲିତୋଟା ଗାଁରେ ଅବାଧ ମଦ ବିକ୍ରିକୁ ଗ୍ରାମର ମହିଳା ମାନେ ବିରୋଧ କରିବାରୁ ମଦ ମାଫିଆମାନେ ମହିଳାଙ୍କୁ ଅଶ୍ଳିଳ ଭାଷାରେ ଗାଳି କରିଥିଲେ।
