ନୂଆଦିଲ୍ଲୀ : ପୈଗମ୍ବର ମହମ୍ମଦଙ୍କ ବିରୋଧ ରେ ବିବାଦୀୟ ମନ୍ତବ୍ୟ କୁ ନେଇ ଦେଶରେ ହିଂସା ଦେଖିବାକୁ ମିଳିଛି । ଦିଲ୍ଲୀର ଜାମା ମସଜିଦ ବାହାରେ ପ୍ରଦର୍ଶନ କରିଥିଲେ ଅନେକ ବିକ୍ଷୋଭକାରୀ । ଏହି ମାମଲାରେ ପୋଲିସ ଏବେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୈଗମ୍ବର ମହମ୍ମଦଙ୍କ ଉପରେ ଦିଆଯାଇଥିବା ବୟାନକୁ ନେଇ ନୂପୁର ଶର୍ମାଙ୍କ ବିବାଦିତ ବୟାନ ପରେ ହିଂସାକାଣ୍ଡ ଘଟିଥିଲା । ଏହି ମାମଲାରେ ପୋଲିସ ଏବେ କାର୍ଯ୍ୟାନୁଷ୍ଠାନ ନେଉଛି ।
ତେବେ ବିକ୍ଷୋଭ ପ୍ରଦର୍ଶନରେ ଶହଶହ ଲୋକଙ୍କ ସଂପୃକ୍ତି ଥିବା ଜଣାପଡିଲା ପରେ ପୋଲିସ ଆକ୍ସନ ମୋଡକୁ ଆସିଛି । ଯାହାକୁ ନେଇ ଦିଲ୍ଲୀ ପୋଲିସ ଡିଏସପି ଶ୍ୱେତା ଚୌହାନ କହିଛନ୍ତି ଯେ, ଶନିବାର ବିଳମ୍ବିତ ରାତ୍ରରେ ଦୁଇଜଣଙ୍କୁ ଗିରଫ କରାଯାଇଛି । ଏହାସହ ୧୫୩ଏ ଓ ୧୮୮ ଧାରାରେ ମାମଲା ରୁଜୁ ହୋଇଛି ।
ପୋଲିସର କହିବାନୁସାରେ, ନାମାଜପାଠ ପରେ ବିରୋଧ ପ୍ରଦର୍ଶନ କରୁଥିବା ଅନେକଙ୍କୁ ଚିହ୍ନଟ କରାଯାଇଛି । ମସଜିଦ ପକ୍ଷରୁ କୌଣସି ବିକ୍ଷୋଭକାରୀଙ୍କୁ ଡକାଯାଇନଥିଲା । ତେବେ ତଦନ୍ତ ବେଳେ କୌଣସି ରାଜନୈତିକ ଦଳ କିମ୍ବା ସଙ୍ଗଠନର ହାତ ଥିବା ପ୍ରମାଣ ମିଳିନି । ସିସିଟିଭି ଫୁଟେଜକୁ ଭଲ ଭାବେ ଯାଞ୍ଚ କରାଯାଉଛି । ଅନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି ।
ଘଟଣାକୁ ନେଇ ଜାମା ମସଜିଦର ସାହୀ ଇମାମ କହିଛନ୍ତି ଯେ, ତାଙ୍କୁ ବିକ୍ଷୋଭ ବାବଦରେ କିଣି ଜଣାନାହିଁ । ମସଜିଦ ପକ୍ଷରୁ କାହାକୁ ଏଥିପାଇଁ ଡକାଯାଇନଥିଲା । କିଛି ଲୋକ ମସଜିଦ ଗେଟ୍ ବାହାରେ ନାରା ଲଗାଉଥିଲେ । ସେମାନଙ୍କୁ ଚିହ୍ନିବା ପୋଲିସର କାମ ଅଟେ ବୋଲି ସେ କହିଛନ୍ତି ।
