
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ସାରା ଦେଶରେ ପଞ୍ଜାବର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିବାରେ ଲାଗିଛି । ଏହା ମଧ୍ୟରେ ପଞ୍ଜାବୀ-କାନାଡିୟାନ୍ ରାପର୍ ଏପି ଢିଲୋଁ ବଡ଼ ବୟାନ ଦେଇଛନ୍ତି । ତେବେ ପଞ୍ଜାବୀ କଳାକାରମାନଙ୍କୁ ପ୍ରତିଦିନ ‘ହତ୍ୟା ଧମକ’ର ସାମ୍ନା କରିବାକୁ ପଡ଼େ ବୋଲି କହିଛନ୍ତି । ସେ ତାଙ୍କର ପ୍ରଥମ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ୍ରେ ସିଦ୍ଧୁ ମୁଜ୍ ୱାଲାଙ୍କ ହତ୍ୟାକୁ ନେଇ ନିଜର ଦୁଃଖ ପ୍ରକାଶ କରିଥିବା ବେଳେ ଦ୍ବିତୀୟ ପୋଷ୍ଟ୍ରେ କିଭଳି ଭାବେ ପଞ୍ଜାବୀ କଳାକାର ମାନେ ଗ୍ୟାଙ୍ଗ୍ଷ୍ଟାର୍ଙ୍କଠାରୁ ଧମକ ପାଆନ୍ତି ସେ ସଂପର୍କରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, ‘ଅଧିକାଂଶ ଲୋକ ଏକଥା ଜାଣନ୍ତି ନାହିଁ ଯେ ଜଣେ ପଞ୍ଜାବୀ କଳାକାର ଭାବେ କେଉଁ କେଉଁ ପରିସ୍ଥିତିର ସାମ୍ନା କରିବାକୁ ପଡ଼େ।
ଘୃଣା ମନ୍ତବ୍ୟ, ଧମକ ଏବଂ ନକାରାତ୍ମକ ମନ୍ତବ୍ୟକୁ ପ୍ରତିଦିନ ସାମ୍ନା କରିବାକୁ ପଡ଼େ। ତାହା ପୁଣି ଆମେ ଭଲ ପାଉଥିବା କାମ କରୁଥିବା କାରଣରୁ ଏପରି ସହିବାକୁ ପଡ଼େ।’ ଅନ୍ୟପଟେ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଗୁଳିକାଣ୍ଡରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିଲେ। ଆହତ ତିନି ଜଣଙ୍କୁ ମାନସା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୁଜ୍ ୱାଲା ଏବଂ ତାଙ୍କର ଦୁଇ ବନ୍ଧୁ ପଞ୍ଜାବର ନିଜ ଗ୍ରାମ ମାନସା ଅଭିମୁଖେ ଯାଉଥିବାବେଳେ ଏହି ଆକ୍ରମଣ ହୋଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।