ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିଲେ ଅଗ୍ନିବୀର ଯୋଜନା ବନ୍ଦ କରିବ ବୋଲି ରାହୁଲଙ୍କ ଘୋଷଣା

ଭୁବନେଶ୍ୱର,୨୧/୪(ସତ୍ୟପାଠ ବ୍ୟୁରୋ):  କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ବିହାରର ଏକ ଜନସଭାରେ ବିଜେପିକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୪୦୦ରୁ ଅଧିକ ଆସନ ଜିତିବ ବୋଲି ଦାବି କରୁଥିଲେ ମଧ୍ୟ ଅସଲରେ ଏହା ୧୫୦ଟି ଆସନ ମଧ୍ୟ ଜିତିବ ନାହିଁ। କେବଳ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ବିଜେପି ‘୪୦୦ ପାର୍‌’ କଥା କହୁଛି ବୋଲି ରାହୁଲ କହିଛନ୍ତି। ନିର୍ବାଚନୀ ଅଭିଭାଷଣରେ ସେ କହିଛନ୍ତି ଯେ, ଯଦି ଇଣ୍ଡି ମେଣ୍ଟ ସରକାର କ୍ଷମତାକୁ ଆସେ ତେବେ ବର୍ତ୍ତମାନର ସରକାରୀ ନୀତିରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯିବ ଏବଂ ଅଗ୍ନିବୀର ଯୋଜନାକୁ ତୁରନ୍ତ ବନ୍ଦ କରାଯିବ। ବିଜେପି ସରକାର ଆରମ୍ଭ କରିଥିବା ଅଗ୍ନିବୀର ଯୋଜନା ଦେଶର ସ୍ବାର୍ଥ ସାଧନ କରୁନାହିଁ ଏବଂ ଏହା ଯୁବ ଗୋଷ୍ଠୀରେ ଅନିଶ୍ଚିତତାର ବାତାବରଣ ସୃଷ୍ଟି କରୁଛି ବୋଲି ରାହୁଲ କହିଛନ୍ତି।

ଭାରତକୁ ଦୁଇ ପ୍ରକାର ସହିଦଙ୍କ ଆବଶ୍ୟକତା ନାହିଁ, ତେଣୁ ଆମେ କ୍ଷମତାକୁ ଆସିବା ମାତ୍ରେ ଅଗ୍ନିବୀର ଯୋଜନାକୁ ବନ୍ଦ କରିବାକୁ ପଦକ୍ଷେପ ଗ୍ରହଣ କରିବୁ ବୋଲି ସେ କହିଛନ୍ତି। ଏହି ରୢାଲିରେ ରାହୁଲ କହିଛନ୍ତି, ଆମେ କୃଷକମାନଙ୍କୁ ଦୁଇଟି ଗ୍ୟାରେଣ୍ଟି ଦେଉଛୁ। କଂଗ୍ରେସ ଦଳ କୃଷକଙ୍କ ଋଣ ଛାଡ଼ କରିବାକୁ ଯାଉଛି ଏବଂ ଦ୍ବିତୀୟତଃ ଆମେ କୃଷକମାନଙ୍କୁ ଏକ ନିଶ୍ଚିତ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବାକୁ ମଧ୍ୟ ପ୍ରତିଶ୍ରୁତିବଦ୍ଧ। ଆମେ ଜିଏସଟିରେ ମଧ୍ୟ ପରିବର୍ତ୍ତନ କରିବୁ। ଦେଶରେ କେବଳ ଗୋଟିଏ ସର୍ବନିମ୍ନ ଟିକସ ରହିବ ବୋଲି ସେ କହିଛନ୍ତି।

Related Posts