ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏପ୍ରିଲ ୧୩ ତାରିଖରେ ମାଲକାନଗିରି ଗସ୍ତ କରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବହୁ ପ୍ରତୀକ୍ଷାର ଅନ୍ତ ହେବ ମାଲକାନଗିରି ବାସୀଙ୍କର। ଜିଲ୍ଲାରେ ଖୁବଶୀଘ୍ର ପହଁଞ୍ଚିବ ରେଳ ଲାଇନ। ଜିଲ୍ଲାକୁ କିଛିଦିନ ପୂର୍ବରୁ ବିଶାଖାପାଟଣା ଡିଭିଜନର ଡେପୁଟି ଜୋନାଲ ମ୍ୟାନେଜରଙ୍କ ଗସ୍ତ ପରେ ଏବେ ରେଳ ମନ୍ତ୍ରୀଙ୍କ ଗସ୍ତ ନିଶ୍ଚିତ ଭାବେ ସ୍ଥାନୀୟ ଲୋକଙ୍କ ମନରେ କିଛିଟା ଅସାର ଆଲୋକ ଦେଖା ଦେଇଛି। ବିଶାଖାପାଟଣା ଡିଭିଜନ ଡେପୁଟି ରିଜିଓନାଲ ମ୍ୟାନେଜରଙ୍କ କହିବା ଅନୁଯାୟୀ ମାଲକାନଗିରି ଜିଲ୍ଲାରେ ୪ ରୁ ୫ ବର୍ଷ ମଧ୍ୟରେ ଟ୍ରେନ୍‌ ଚଳାଚଳ କାର୍ୟ୍ୟ କ୍ଷମ କରିବ। ତେଣୁ ମନ୍ତ୍ରୀଙ୍କ ଗତକାଲି ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି।

ରେଳଲାଇନ ପାଇଁ କିଭଳି ଜମି ଅଧିଗ୍ରହଣ ଖୁବଶୀଘ୍ର ହେବ ଆଉ ଜିଲ୍ଲା ପ୍ରଶାସନ କେତେଶୀଘ୍ର ହସ୍ତାନ୍ତର କରିବେ ତାକୁ ନେଇ ଅଧିକ ଗୁରୁତ୍ଵ ଦେବେ ମନ୍ତ୍ରୀ ବୋଲି ଜଣାପଡିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ସହ ରେଳପଥକୁ ନେଇ ସମୀକ୍ଷା ବୈଠକ କରିବେ। ତେବେ ଆସନ୍ତାକାଲି ସାଢେ ୯ଟାରେ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ପହଁଞ୍ଚି ମାଲକାନଗିରି ମୁଖ୍ୟ ପୋଷ୍ଟ ଅଫିସ କୋଠାଘରର ଶୁଭ ଉଦ୍ଧଘାଟନ କରିବେ।ଏହା ପରେ ୧୦ ଟା ରେ ବିଭିନ୍ନ ଉନ୍ନୟନ କାର୍ୟ୍ୟର ତଦାରଖ କରିବେ। ସାଢେ ୧୧ଟା ରେ ବିଜେପି କାର୍ୟ୍ୟକର୍ତାଙ୍କ ସହ ଜିଲ୍ଲାର ସ୍ଥିତିକୁ ନେଇ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି। ଏହା ପରେ ୧୨ ଟାରେ ସଂସ୍କୃତି ଭବନରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।