ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ‘ରାଜଧାନୀ ଭୁବନେଶ୍ୱର ଆଜି ଶିକ୍ଷକମୟ। ହେଲେ ଏଭଳି ପରିସ୍ଥିତିରେ ଗଲେ କୁଆଡ଼େ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ମହୋଦୟ ?’ ଆଜି ଏପରି ପ୍ରଶ୍ନ କରି ରାଜ୍ୟସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ।
ସେ କହିଛନ୍ତି ଯେ, ରାଜ୍ୟର ପାଖାପାଖି ୨ ଲକ୍ଷ ଶିକ୍ଷକ ନିଜର ଦାବି ନେଇ ଆଜି ବିଧାନସଭା ସମ୍ମୁଖ ଲୋୟର ପିଏମଜିରେ ଚିତ୍କାର କରୁଛନ୍ତି। ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଥିବା ସମୟରେ ଗଣଶିକ୍ଷା ମନ୍ତ୍ରୀ ପଦ୍ମପୁରରେ ନିର୍ବାଚନ ପ୍ରଚାର କରୁଛନ୍ତି। ସେ କାହାଠାରୁ ଅନୁମତି ନେଇ ସେ ପଦ୍ମପୁର ଗଲେ ବୋଲି ମୋହନ ମାଝୀ ପ୍ରଶ୍ନ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଶିକ୍ଷକମାନଙ୍କର ଠିକା ନିଯୁକ୍ତିର ଯୁଗ ସରିଗଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଯଦି ଠିକା ନିଯୁକ୍ତିର ଯୁଗ ସରିଯାଇଛି, ତା’ହେଲେ ରାଜଧାନୀରେ ୨ ଲକ୍ଷ ଶିକ୍ଷକ କାହିଁକି ଧାରଣା ଦେଇଛନ୍ତି? ଆଜି ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ସରକାରଙ୍କ ଚିନ୍ତା ନାହିଁ କି ଦରଦ ନାହିଁ।
ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ୨ଦିନ ହେବ ଶିକ୍ଷକମାନେ ୩ ଦଫା ଦାବିରେ ଆନ୍ଦୋଳନ କରୁଛନ୍ତି। ହେଲେ ଶିକ୍ଷକମାନଙ୍କ ସହ ଆଲୋଚନା କରିବା ପାଇଁ ମନ୍ତ୍ରୀ ନାହାନ୍ତି କି ଶିକ୍ଷା ବିଭାଗର କୌଣସି ଅଧିକାରୀ ନାହାନ୍ତି। ସେହିପରି ବିଧାସଭାରେ ବି କୌଣସି ମନ୍ତ୍ରୀ ନାହାନ୍ତି, ତାହେଲେ କେଉଁମାନେ ଶିକ୍ଷକମାନଙ୍କ ସହ ଆଲୋଚନା କରିବେ?
ଯଦି ଲକ୍ଷ ଲକ୍ଷ ଶିକ୍ଷକ ରାଜରାସ୍ତାରେ କାନ୍ଦୁଛନ୍ତି, ଶିକ୍ଷୟିତ୍ରୀମାନେ ରାଜରାସ୍ତାରେ ରାତିରେ ଶୋଉଛନ୍ତି, ତା’ହେଲେ ବିଧାନସଭାର ଏହି ଗୃହ କ’ଣ ପାଇଁ ଅଛି? ଏପରି ପରିସ୍ଥିତିରେ ଦେଖିଲେ ଲାଗୁଛି ରାଜ୍ୟ ସରକାର ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି। ଶିକ୍ଷକଙ୍କ ଦାବି ପୂରଣ କରିବାକୁ ବିଧାନସଭାରେ କଂଗ୍ରେସ ଦଳ ଦାବି କରିଛି ବୋଲି କହିଛନ୍ତି ଶ୍ରୀ ବାହିନୀପତି।
ସେହିପରି ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ ଉଠାଇ ଆଜି ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟ। ତେଣୁ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଥିଲେ। ପରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା। ବୈଠକ ପରେ ଶିକ୍ଷକ ଆନ୍ଦୋଳନକୁ ନେଇ ଗୃହରେ ରୁଲିଂ ଦେଇଥିଲେ ବାଚସ୍ପତି। ସରକାର ଶିକ୍ଷକ ଆନ୍ଦୋଳନ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଗୃହ କାର୍ଯ୍ୟ ସ୍ଵାଭାବିକ ହୋଇଥିଲା।
