ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶା କୁଲତା ସମାଜର ଏକ ପ୍ରତିନିଧି ଦଳ ସୋମବାର ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ଅବସରରେ ସେମାନେ ସେମାନଙ୍କ ବିଭିନ୍ନ ଦାବି ବିଷୟରେ ଆଲୋଚନା କରିଥିଲେ। ପ୍ରଥମେ ସେମାନଙ୍କ କୁଳ ଦେବତା ପ୍ରଭୁ ନୃସିଂହନାଥଙ୍କ ପୀଠର ଉନ୍ନତି ନିମନ୍ତେ ୫ଟି ଉପକ୍ରମରେ ନିଆଯାଇଥିବା ରୂପାନ୍ତରଣ କାର୍ଯ୍ୟକ୍ରମ ପାଇଁ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।
କୁଲତା ସମାଜ ବହୁଳ ଗ୍ରାମ ଗୁଡ଼ିକରେ ଜଗନ୍ନାଥ ମନ୍ଦିର ସ୍ଥାପନ, ପରିଚାଳନା, ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଏହି ସମାଜ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି। ପୁରୀ ନିକଟସ୍ଥ ରାମଚଣ୍ଡୀ ମନ୍ଦିର ମଧ୍ୟ କୁଲତା ସମାଜର ଏକ ପ୍ରସିଦ୍ଧ ଧର୍ମପୀଠ। କୁଲତା ସମାଜର ଲକ୍ଷ ଲକ୍ଷ ଭକ୍ତ ପ୍ରତିବର୍ଷ ପୁରୀଧାମକୁ ଯାଇଥାନ୍ତି। ତେଣୁ ପୁରୀରେ କୁଲତା ସମାଜକୁ ଧର୍ମଶାଳା ନିମନ୍ତେ ଏକ ଏକର ଜମି ଓ ଆର୍ଥିକ ଅନୁଦାନ ଯୋଗାଇ ଦେବା ପାଇଁ ସେମାନେ ଅନୁରୋଧ କରିଥିଲେ । ଏହାଦ୍ବାରା କୁଲତା ସମାଜର ଭକ୍ତମାନେ ସୁବିଧାରେ ପୁରୀଧାମରେ ରହିବା ସହ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ମଧ୍ୟ ସୁରୁଖୁରୁରେ ଆୟୋଜନ କରିପାରିବେ।
ଅନୁରୋଧକୁ ଗ୍ରହଣ କରି ପୁରୀରେ ଉପଯୁକ୍ତ ସ୍ଥାନରେ ଏକ ସପ୍ତାହ ମଧ୍ୟରେ ଜମି ଚିହ୍ନଟ ପାଇଁ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ସରକାରଙ୍କ ତରଫରୁ ଧର୍ମଶାଳା ନିର୍ମାଣ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏକ ବର୍ଷ ମଧ୍ୟରେ ଏହି ଧର୍ମଶାଳା ଯେପରି ସଂପୂର୍ଣ୍ଣ ହୋଇପାରିବ, ସେ ଦିଗରେ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ସେମାନଙ୍କ ଦାବି ପ୍ରତି ସହାନୁଭୂତିଶୀଳ ମନୋଭାବ ପାଇଁ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ଏହି ପ୍ରତିନିଧି ଦଳରେ ବୌଦ୍ଧ , ସୋନପୁର , ସମ୍ବଲପୁର ଓ ବ୍ରଜରାଜନଗର ଅଞ୍ଚଳର କୁଲତା ସମାଜର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଥିଲେ।





