ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରିପ୍ଟୋକରେନ୍ସି ଉପରେ ସରକାରଙ୍କ ଆଭିମୁଖ୍ୟକୁ ଆଜି ସ୍ପଷ୍ଟ କରିଛନ୍ତି । ତେବେ ଆରବିଆଇ କ୍ରିପ୍ଟୋକରେନ୍ସିକୁ ନେଇ କଠୋର ନିୟମ ଆଣିବା ଏବଂ ଏହାର ବ୍ୟବହାର ଉପରେ ରୋକ ଲଗାଇବା ପକ୍ଷରେ ରହିଛି । ଅର୍ଥମନ୍ତ୍ରୀ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି, ଆଇବିଆଇ ଦେଶର ମୋନେଟାରୀ ଏବଂ ଆର୍ଥିକ ସ୍ଥିରତା ପାଇଁ କ୍ରିପ୍ଟୋକରେନ୍ସି ବିପଦ ବୋଲି ପୂର୍ବର କହିସାରିଛି । ଏହି ସେକ୍ଟର ପାଇଁ ଆଇନ ଆଣିବାକୁ ସୁପାରିସ ମଧ୍ୟ କରିସାରିଛି । ଏହା ଉପରେ ରୋକ ଲଗାଯିବା ଦରକାର ବୋଲି ଆରବିଆଇ ମତ ଦେଇଛି । ଅର୍ଥମନ୍ତ୍ରୀ କହିଛନ୍ତି, କ୍ରିପ୍ଟୋକରେନ୍ସିର ବ୍ୟାପକ ବିସ୍ତାରକୁ ନଜରରେ ରଖି ନିୟମର ଉଲ୍ଲଂଘନ ରୋକିବା ପାଇଁ ଅନ୍ତର୍ଜାତୀୟ ସହଯୋଗର ଆବଶ୍ୟକତା ରହିଛି ।
ଏଥିପାଇଁ ଏହା ଉପରେ ରୋକ ଲଗାଇବାର କୌଣସି ଆଇନ ପ୍ରଭାବୀ ହୋଇପାରିବ ନାହିଁ । କେନ୍ଦ୍ର ସରକାର ଆଜି ଯାଏଁ କ୍ରିପ୍ଟୋକରେନ୍ସି ଉପରେ ମୁକ୍ତ ଭାବେ ନିଜର ଅଭିମୁଖ୍ୟ ରଖିବାଠାରୁ ଦୂରେଇ ରହୁଥିଲେ। ଏହାକୁ ଫାଇନାନସିଆଲ କରେନ୍ସି ଧରାଯିବ ନା ଅନ୍ୟ କୌଣସି କ୍ୟାଟେଗରୀରେ ରଖାଯିବ ଏହାକୁ ନେଇ ମଧ୍ୟ ସ୍ପଷ୍ଟ ମତ ରଖି ପାରି ନଥିଲେ । ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କ୍ରିପ୍ଟୋକରେନ୍ସିର ବ୍ୟବହାର ଉପରେ ବିଶ୍ୱ ସ୍ତରରେ ପଦକ୍ଷେପ ନେବାକୁ ଜୋର ଦେଇଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
