ଯୋଗୀ ସରକାରଙ୍କୁ ଆଶ୍ବସ୍ତି: ପୌର ନିର୍ବାଚନରେ ଓବିସି ସଂରକ୍ଷଣକୁ ନେଇ ହାଇକୋର୍ଟଙ୍କ ରାୟ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୪/୧(ସତ୍ୟପାଠ ବ୍ୟୁରୋ): ଉତ୍ତର ପ୍ରଦେଶରେ ପୌର ନିର୍ବାଚନ ଆଉ ୩ ମାସ ପରେ ହେବ। ତେବେ ଏହା ପୂର୍ବରୁ ରାଜ୍ୟର ଯୋଗୀ ସରକାରଙ୍କୁ ଏକ ବଡ ଅସ୍ଵସ୍ଥି ମିଳିଛି। ଅହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ। ୟୁପିରେ ତୁରନ୍ତ ନିର୍ବାଚନ କରିବା ନେଇ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଯୋଗୀ ସରକାର। ଏହି ଆବେଦନ ଉପରେ ଶୁଣାଣି କରି ଆଜି ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଛନ୍ତି ସର୍ବୋଚ୍ଚ ଅଦାଲତ। ଅଦାଲତଙ୍କର ଏହି ନିର୍ଦ୍ଦେଶ ପରେ ରାଜ୍ୟରେ ଓବିସି କମିଶନଙ୍କ ରିପୋର୍ଟ ପରେ ଯାଇ ନିର୍ବାଚନ ହେବ ବୋଲି କୁହାଯାଉଛି।

ସୂଚନା ଅନୁସାରେ, ଗତବର୍ଷ ଡିସେମ୍ବର ୫ ତାରିଖରେ ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ଓବିସି ସଂରକ୍ଷଣ ତାଲିକା ଜାରି କରିଥିଲେ। ଏହି ତାଲିକାକୁ ବିରୋଧ କରି ବିରୋଧୀ ଗୋଷ୍ଠୀ ଆହ୍ଲାବାଦ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଓବିସି ସଂରକ୍ଷଣ ତାଲିକା ଜାରି କରିବାରେ ସରକାର ଟ୍ରିପଲ ଟେଷ୍ଟର ଫର୍ମୁଲା ପାଳନ କରି ନାହାନ୍ତି। କୌଣସି ଆଲୋଚନା କରି ନାହାନ୍ତି କି ଓବିସି କମିଶନ ଗଠନ କରି ନାହାନ୍ତି। ସରକାର ଏମିତି ଏକପାଖିଆ ତାଲିକା ଜାରି କରିଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଥିଲେ।

ଏହି ଆବେଦନ ଉପରେ ରାୟ ଶୁଣାଇ ସଂରକ୍ଷଣ ତାଲିକା ରଦ୍ଦ କରିବା ସହ ନିର୍ବାଚନ ତୁରନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଆହ୍ଲାବାଦ ହାଇକୋର୍ଟ। ତା ସହ ଓବିସି ଆରକ୍ଷଣ ନିର୍ଦ୍ଧାରଣ କରିବା ପାଇଁ ଏକ ଉଦ୍ଦିଷ୍ଟ କମିଶନ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାଦ୍ୱାରା ଟ୍ରିପଲ ଟେଷ୍ଟ ଫର୍ମୁଲା ପାଳନ ହୋଇପାରିବ ବୋଲି ହାଇକୋର୍ଟ କହିଥିଲେ। କେବଳ ସେତିକି ନୁହେଁ ରାଜ୍ୟରେ ପ୍ରଶାସକଙ୍କ ନିଯୁକ୍ତିକୁ ମଧ୍ୟ ରଦ୍ଦ କରିଦେଇଥିଲେ। ସେହି ସ୍ଥାନରେ ୩ ସଦସ୍ୟଯୁକ୍ତ କମିଟି ଗଠନ କରାଯାଉ। ଯେଉଁଥିରେ ଡିଏମ୍ ଓ ନଗର କମିଶନ ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସଦସ୍ୟ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ହାଇକୋର୍ଟଙ୍କ ରାୟକୁ ବିରୋଧ କରି ଯୋଗୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଏହାରି ଭିତରେ ଯୋଗୀ ସରକାର ଓବିସି ସଂରକ୍ଷଣ କମିଟି ଗଠନ କରିସାରିଥିଲେ। ଆଜି ଶୁଣାଣି ବେଳେ ଯୋଗୀ ସରକାର କହିଥିଲେ ଯେ କମିଶନ ରିପୋର୍ଟ ଦେବାକୁ ୩ ମାସ ସମୟ ଲାଗିବା। ଏହାପରେ କୋର୍ଟ କହିଥିଲେ ଯେ ୩ ମାସ ସମୟ ଅଧିକ ହେଇଯାଉଛି। କମ ସମୟରେ କଲେ ଭଲ ହୁଅନ୍ତା। ହେଲେ ୟୁପି ସରକାର କହିଥିଲେ ଯେ କମିସନ ପାଇଁ ନିଯୁକ୍ତି ବିଚାରପତିଙ୍କୁ ପଚାରି ସମୟ କହିହେବ। ଏହାପରେ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି କରିଥିଲେ। ତେବେ ତିନି ସପ୍ତାହ ପର୍ଯ୍ୟନ୍ତ ଏହି ରହିତାଦେଶ ଜାରି ହୋଇଛି। ଏହାପରେ ମାମଲାର ପୁଣିଥରେ ଶୁଣାଣି ହେବ।

Related Posts