ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଛାତ୍ର ଆନ୍ଦୋଳନ ବିରୋଧରେ କଡ଼ା ନିୟମ ଲାଗୁ ହୋଇଥିଲା। କୌଣସି ପ୍ରକାର ବିରୋଧ କିମ୍ବା ପ୍ରତିବାଦ କଲେ କଡା କାର୍ଯ୍ୟନୁଷ୍ଠାନ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ତେବେ ଏହି ନିର୍ଦ୍ଦେଶନାମା ଜାରି ହେବାର ୨୪ ଘଣ୍ଟା ନପୂରୁଣୁ ବିଜ୍ଞପ୍ତି କୁ ରଦ୍ଦ କରିଛନ୍ତି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ।

ସୂଚନା ଅନୁସାରେ, ଗୁରୁବାର ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଛାତ୍ର ଆନ୍ଦୋଳନକୁ ନେଇ କଡ଼ା ନିୟମ ଲାଗୁ କରିବାକୁ ବିଜ୍ଞପ୍ତି ଜାରି କରାଯାଇଥିଲା।ଛାତ୍ରଛାତ୍ରୀମାନେ ବିଶ୍ଵବିଦ୍ୟାଳୟରେ କୌଣସି ଆନ୍ଦୋଳନ କଲେ କିମ୍ବା କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ବିରୋଧରେ ପ୍ରତିବାଦ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଥିଲା। ଏପରିକି କାର୍ଯ୍ୟନୁଷ୍ଠାନ ସ୍ବରୂପ ବିଶ୍ଵବିଦ୍ୟାଳୟରୁ ବହିସ୍କାର ମଧ୍ୟ କରାଯିବ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଥିଲା। ତେବେ ଏହି ନିଷ୍ପତ୍ତି ବିରୋଧରେ ଛାତ୍ର ଆନ୍ଦୋଳନ ଚେତାବନୀ ପରେ ରେଭେନ୍ସା କର୍ତ୍ତୃପକ୍ଷ ତରବରିଆ ଭାବେ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିଥିବା ସୂଚନା ମିଳିଛି।

ସୂଚନାନୁଯାୟୀ, ଛାତ୍ରଛାତ୍ରୀମାନେ ଧାରଣା ଦେଲେ କିମ୍ଵା ଆନ୍ଦୋଳନ କଲେ ବିଶ୍ଵବିଦ୍ୟାଳୟରୁ ବାସନ୍ଦ, ଅର୍ଥଦଣ୍ଡ, ବହିଷ୍କାର କିମ୍ଵା ନିଲମ୍ଵନ କରାଯିବ ବୋଲି ବିଶ୍ଵବିଦ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶ ପାଇଥିଲା। ଏହା ସହ କ୍ୟାମ୍ପସ ଭିତରେ ନିଶାଦ୍ରବ୍ୟର ସେବନ ଉପରେ ମଧ୍ୟ କଟକଣା ଲାଗିଥିଲା। ସେହିପରି ହଷ୍ଟେଲ ନିୟମ ଭାଙ୍ଗିଲେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି କୁହାଯାଇଥିଲା। ଏତଦ୍ ବ୍ୟତୀତ ଶ୍ରେଣୀ ଗୃହରେ ଅଡିଓ କିମ୍ବା ଭିଡ଼ିଓ ରେକର୍ଡ କଲେ ଏହାକୁ ଧର୍ତ୍ତବ୍ୟ ଅପରାଧ ଭାବେ ଧରାଯିବ ବୋଲି ବିଶ୍ଵବିଦ୍ୟାଳୟ ପକ୍ଷରୁ କୁହାଯାଇଥିଲା। ତେବେ ବିଶ୍ଵବିଦ୍ୟାଳୟ କତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଯାହାଫଳରେ ଆଜି ରେଭେନ୍ସା କର୍ତ୍ତୃପକ୍ଷ ତରବରିଆ ଭାବେ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିଥିବା କୁହାଯାଉଛି।