ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ତାମିଲନାଡୁ ରାଜନୀତିକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହା ମଧ୍ୟରେ ଏକ ଡଜନରୁ ଅଧିକ ନବନିର୍ବାଚିତ ଏଆଇଏଡିଏମ୍କେ ବିଧାୟକଙ୍କୁ ପୁଡୁଚେରୀର ଏକ ରିସୋର୍ଟକୁ ସ୍ଥାନାନ୍ତର କରାଯିବା ପରେ ନୂତନ ରାଜନୈତିକ ଡ୍ରାମା ଦେଖିବାକୁ ମିଳିଛି। ପରବର୍ତ୍ତୀ ସରକାର ଗଠନ ପାଇଁ ଅଭିନେତା ବିଜୟଙ୍କ ଟିଭିକେକୁ ସମର୍ଥନ ଦେବାକୁ ନେଇ ଦଳ ମଧ୍ୟରେ ମତଭେଦ ସୃଷ୍ଟି ହେବାର କଳ୍ପନାଜଳ୍ପନା ଆରମ୍ଭ ହୋଇଛି।
ତେବେ ଏଆଇଏଡିଏମ୍କେ କୌଣସି ବିଦ୍ରୋହର ଖବରକୁ ଖଣ୍ଡନ କରି ଦଳ ମଧ୍ୟରେ ‘ସବୁକିଛି ଠିକ୍ ଅଛି’ ବୋଲି କହିଛି। ସେପଟେ ଏଆଇଏଡିଏମ୍କେ ସୂତ୍ରରୁ ପ୍ରକାଶ ଯେ ଟିଭିକେକୁ ସମର୍ଥନ କରୁଥିବା ଗୋଷ୍ଠୀକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା କାରଣ ଦଳର ମୁଖ୍ୟ ଏଡାପ୍ପାଡି କେ ପଲାନିସ୍ୱାମୀ ପ୍ରଥମେ ବିଜୟଙ୍କୁ ସମର୍ଥନ କରିବା ଉପରେ ନୀରବ ରହିଥିଲେ। ଏହି ନୀରବତା ବିଜୟଙ୍କୁ ସମର୍ଥନ କରୁଥିବା ନେଇ କିଛି କଳ୍ପନାଜଳ୍ପନାକୁ ଇନ୍ଧନ ଦେଇଥିଲା।
ଇପିଏସ୍ ବର୍ତ୍ତମାନ ଟିଭିକେକୁ ସମର୍ଥନ ବିରୋଧରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଏବଂ ସମସ୍ତ ଦଳର ବିଧାୟକଙ୍କୁ ତାଙ୍କ ନିଷ୍ପତ୍ତି ମାନିବାକୁ ହେବ। ଏଆଇଏଡିଏମ୍କେ ମଧ୍ୟ ସ୍ପଷ୍ଟ କରିଛି ଯେ ଟିଭିକେ ସମର୍ଥନ ପାଇଁ ଏହାକୁ ଅନୁରୋଧ କରିନାହିଁ। ଏଆଇଏଡିଏମ୍କେ ନେତା ତଥା ପୂର୍ବତନ ମନ୍ତ୍ରୀ ସିଭି ଶାନ୍ମୁଗମ କହିଛନ୍ତି, ଟିଭିକେ ଏଆଇଏଡିଏମ୍କେର ସମର୍ଥନ ମାଗି ନାହିଁ। ବରିଷ୍ଠ ନେତା କେପି ମୁନୁସ୍ୱାମୀ କହିଛନ୍ତି, ଏଆଇଏଡିଏମ୍କେ ଟିଭିକେକୁ କୌଣସି ସମର୍ଥନ ଦେଇନାହିଁ। ଦଳର ମୁଖ୍ୟ ଇପିଏସ୍ଙ୍କ ଅନୁମୋଦନ କ୍ରମେ ମୁଁ ଏହା ଘୋଷଣା କରୁଛି ବୋଲି କହିଛନ୍ତି ।
