ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ରୋଗୀଙ୍କ ପାଖରେ ପହଞ୍ଚିବା ସମୟ ହ୍ରାସ କରିବାକୁ ଲାଗିଲା କଟକଣା । ୩୦ କିମି ବାହାରୁ ରୋଗୀଙ୍କୁ ଆଣିପାରିବନି ୧୦୮ ଆମ୍ବୁଲାନ୍‌ସ । ତେବେ ସହରାଞ୍ଚଳରେ ଏଥିପାଇଁ କୌଣସି ସମସ୍ୟା ହେଉନାହିଁ, ମାତ୍ର ଅପହଞ୍ଚ ଓ ଗ୍ରାମାଞ୍ଚଳରେ ଏଥିପାଇଁ ବହୁ ସମସ୍ୟା ହେଉଛି। ବହୁସଂଖ୍ୟାରେ ରୋଗୀଙ୍କ କଲ୍‌କୁ ୧୦୮ ଆମ୍ବୁଲାନ୍‌ସ ପକ୍ଷରୁ ବାତିଲ୍‌ କରି ଦିଆଯାଉଛି। କେବଳ ୧୦୮ ଆମ୍ବୁଲାନ୍‌ସ ନୁହେଁ, ୧୦୨ ଜନନୀ ଏକ୍ସପ୍ରେସ୍‌ କ୍ଷେତ୍ରରେ ମଧ୍ୟ ସମାନ ସମସ୍ୟା ହେଉଥିବା ନଜରକୁ ଆସିଛି।

ରାଜ୍ୟରେ ପୂର୍ବରୁ ୧୦୮ ଆମ୍ବୁଲାନ୍‌ସର ରେସ୍‌ପନ୍‌ସ ସମୟ ଅଧ ଘଣ୍ଟା ରହିଥିଲା। ଧୀରେ ଧୀରେ ଏହାକୁ ୨୦ ମିନିଟ୍‌କୁ ହ୍ରାସ କରାଯାଇଛି। ଯାହାଫଳରେ ଜରୁରି ପରିସ୍ଥିତିରେ ଆମ୍ବୁଲାନ୍‌ସ ରୋଗୀଙ୍କ ନିକଟରେ ଖୁବ୍‌ଶୀଘ୍ର ପହଞ୍ଚିପାରିବ। ରାଜ୍ୟରେ ୧୦୮ ଆମ୍ବୁଲାନ୍‌ସ ପରିଚାଳନା ସଂସ୍ଥା ବଦଳିବା ପରେ ନୂଆ ସଂସ୍ଥା ଚୟନ ପାଇଁ ସରକାର ଆରଏଫ୍‌ପି (ରିକ୍ବେଷ୍ଟ ଫର୍‌ ପ୍ରପୋଜାଲ୍‌) ଜାରି କରିଥିଲେ।

ଏହା ଅନୁସାରେ ୩୦ କିମି ବ୍ୟବଧାନ ପରେ ଆମ୍ବୁଲାନ୍‌ସ ଯଦି ରୋଗୀଙ୍କୁ ଆଣିବ ତା’ ହେଲେ ତାଙ୍କୁ ଏ ବାବଦ ଅର୍ଥ ପ୍ରଦାନ କରାଯିବ ନାହିଁ। ତେଣୁ ୩୦ କିମି ଦୂରତ୍ବ ଭିତରେ ଯେଉଁ ରୋଗୀଙ୍କ କଲ୍‌ ଆସୁଛି, କେବଳ ସେମାନଙ୍କୁ ହିଁ ୧୦୮ ଆମ୍ବୁଲାନ୍‌ସ ଡାକ୍ତରଖାନାକୁ ଆଣୁଛି। ସେପଟେ ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ମେ’ ମାସରୁ ଚଳିତବର୍ଷ ଏପ୍ରିଲ ଭିତରେ କେବଳ ଏହି କାରଣ ପାଇଁ ୧୦୮ ଓ ୧୦୨ ଆମ୍ବୁଲାନ୍‌ସ ପକ୍ଷରୁ ୨ ଲକ୍ଷରୁ ଅଧିକ କଲ୍‌କୁ ବାତିଲ କରି ଦିଆଯାଇଛି।

କେନ୍ଦୁଝରରେ ସର୍ବାଧିକ ୨୨ ହଜାର, ମୟୂରଭଞ୍ଜରେ ୨୧ ହଜାର, ବାଲେଶ୍ବରରେ ୧୯ ହଜାର, ପୁରୀରେ ୮ ହଜାର, ଖୋର୍ଦ୍ଧାରେ ୬ ହଜାର ଓ ଗଜପତିରେ ସର୍ବନିମ୍ନ ୧୫ ଶହ କଲ୍‌କୁ ବାତିଲ୍‌ କରାଯାଇଛି। ସରକାରଙ୍କ ଏଭଳି କଟକଣା ପାଇଁ ଅନେକ ଗରିବ ରୋଗୀ ବିନା ମୂଲ୍ୟରେ ଡାକ୍ତରଖାନାକୁ ଆସି ପାରୁନାହାନ୍ତି।

ଡାକ୍ତରଖାନା ଆସିବାକୁ ଘରୋଇ ଆମ୍ବୁଲାନ୍‌ସ ଉପରେ ନିର୍ଭର କରୁଛନ୍ତି ନଚେତ୍‌ ନିଜ ଭାଗ୍ୟକୁ ଆଦରି ଘରେ ପଡ଼ି ରହୁଛନ୍ତି। ଅନ୍ୟପକ୍ଷରେ ୧୦୮ ଆମ୍ବୁଲାନ୍‌ସକୁ ଆସିଥିବା କଲ୍‌ରେ ରୋଗୀଙ୍କ ଘରର ଦୂରତା ୩୦ କିମି ଭିତରେ ରହିଥିଲେ ହେଁ ରାସ୍ତାରୋକ କିମ୍ବା ଅନ୍ୟାନ୍ୟ କାରଣରୁ ଆମ୍ବୁଲାନ୍‌ସଟି ବୁଲି ବୁଲି ଅନ୍ୟ ବାଟରେ ଯାଉଛି। ଆମ୍ବୁଲାନ୍‌ସ ରୋଗୀଙ୍କୁ ଡାକ୍ତରଖାନା ଆଣିଥିଲେ ବି ଚୁକ୍ତି ଅନୁସାରେ ଏ ବାବଦ ଅର୍ଥ ସଂପୃକ୍ତ ସଂସ୍ଥାକୁ ମିଳିବ ନାହିଁ। ତେଣୁ ପରିଚାଳନା ସଂସ୍ଥା ମଧ୍ୟ ୩୦-୩୫ କିମି ବ୍ୟବଧାନ ଭିତରେ ରୋଗୀଙ୍କୁ ସ୍ଥାନାନ୍ତର କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହିଁ।