ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବନ୍ତ ରେଡ୍ଡୀ, ଶପଥ ସମାରୋହରେ ଯୋଗଦେବାକୁ ହାଇଦ୍ରାବାଦରେ ଗାନ୍ଧୀ ପରିବାର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅନୁମୁଲା ରେବନ୍ତ ରେଡ୍ଡୀ। ଆଜି ମଧ୍ୟାହ୍ନ ସାଢେ ଗୋଟାଏରେ ଲାଲ ବାହାଦୁର ଷ୍ଟାଡିୟମରେ ଶପଥ ସମାରୋହର ଆୟୋଜନ କରାଯାଇଛି। ରେବନ୍ତଙ୍କ ସହ ଆଉ ଜଣେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ମୋଟ 11 ନେତା ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।

ହାଇଦ୍ରାବାଦର ଏହି ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ସଂସଦୀୟ ଦଳ (ସିପିପି) ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ସମେତ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖାଡଗେ, ସାଂସଦ ରାହୁଲ ଗାନ୍ଧି ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଯୋଗଦେବେ। ଏଥିପାଇଁ ସମସ୍ତେ ହାଇଦ୍ରାବାଦରେ ପହଂଚିଛନ୍ତି |

ସେହିପରି ଶପଥ ଗ୍ରହଣ ଉତ୍ସବରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ମଧ୍ୟ ସାମିଲ ହେବେ। ଏଥିସହ INDIA ମେଣ୍ଟ ଦଳର ନେତା ଏମ.କେ ଷ୍ଟାଲିନ, ଓମାର ଅବଦୁଲ୍ଲା, ଡି ରାଜା ଏବଂ ଡେରେକ ଓ’ବ୍ରାଇନ୍ ଉପସ୍ଥିତ ରହିବା ନେଇ ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, 2014ରେ ଆନ୍ଧ୍ରପ୍ରଦେଶଠୁ ଅଲଗା ହେବା ପରେ ପ୍ରଥମ କରି ଏଠାରେ ସରକାର ଗଢିବାକୁ ଯାଉଛି କଂଗ୍ରେସ। ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ବନିଥିବା କେସିଆରଙ୍କୁ ମାତ ଦେବାରେ ମୁଖ୍ୟ ଭୂମିକା ନିଭାଇଥିଲେ ରେବନ୍ତ ରେଡ୍ଡୀ। 119 ଆସନ ବିଶିଷ୍ଟ ଏହି ବିଧାନସଭାରେ କଂଗ୍ରେସ ଏଥର 64ଟି ଆସନ ପାଇଥିଲା।ମଙ୍ଗଳବାର ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ରେବନ୍ତ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଷ୍ପତ୍ତି ନିଆଯାଇଥିଲା।

Related Posts