ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ତେଲେଙ୍ଗାନାରେ ଆରମ୍ଭ ହେଲା ରେବନ୍ତ ରାଜ୍। ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେବନ୍ତ ରେଡ୍ଡୀ । କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ଉପସ୍ଥିତିରେ ଶପଥଗ୍ରହଣ କରିଛନ୍ତି ରେବନ୍ତ । ରେବନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୁନ୍ଦରରାଜନ । ସେହିପରି ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭଟି ବିକ୍ରମାର୍କା । ଶପଥଗ୍ରହଣ ଉତ୍ସବରେ ମଲ୍ଲିକାର୍ଜୁନେ ଖଡଗେ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ ତେଲେଙ୍ଗାନା ରାଜ୍ୟ ଦାୟିତ୍ୱରେ ଥିବା ଡି.କେ ଶିବକୁମାର ସାମିଲ ହୋଇଛନ୍ତି ।ନୂଆ ରାଜ୍ୟ ଭାବେ ତେଲେଙ୍ଗାନା ଗଠନ ପରେ ପ୍ରଥମଥର ପାଇଁ ସରକାରକୁ ଆସିଛି କଂଗ୍ରେସ । ଏହାପୂର୍ବରୁ ବିଆରଏସ ତେଲେଙ୍ଗାନାରେ ସରକାର ଗଢିଥିଲା । କିନ୍ତୁ ଚଳିତ ନିର୍ବାଚନରେ ରେବନ୍ତଙ୍କ ନେତୃତ୍ୱରେ ତେଲେଙ୍ଗାନାରେ ସରକାର ଗଢିଛି କଂଗ୍ରେସ ଦଳ ।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ରେବନ୍ତ ରେଡ୍ଡୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରେବନ୍ତଙ୍କ ନେତୃତ୍ୱରେ କଂଗ୍ରେସ ସରକାର ତେଲେଙ୍ଗାନାବାସୀଙ୍କୁ ଦେଇଥିବା ସମସ୍ତ ଗ୍ୟାରେଂଟି ପୂରଣ କରିବେ ବୋଲେ ସେ କହିଛନ୍ତି । ଚଳିତ ନିର୍ବାଚନରେ ୧୧୯ ବିଧାନସଭା ଆସନରୁ କଂଗ୍ରେସ ୬୪ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଆରଏସ ୩୯ଟି ଆସନରେ ବିଜୟୀ ହୋଇଛି ।

ଏହି ଶପଥ ସମାରୋହ ଉତ୍ସବରେ ବିରୋଧୀ ଇଣ୍ଡିଆ ମେଂଟର ସହଯୋଗୀ ଦଳର ନେତା ସାମିଲ ହେବେ ବୋଲି ଜଣାପଡିଛି । ଟିଏମସିର ରାଜ୍ୟସଭା ସାଂସଦ ଡାରେକ ଓବ୍ରାଏନ ରେବନ୍ତ ରେଡ୍ଡୀଙ୍କ ଶପଥ ସମାରୋହରେ ଯୋଗ ଦେଇଛନ୍ତି । ଗତକାଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ଇଣ୍ଡିଆ ମେଂଟର ବୈଠକ ବସିଥିଲା । ହେଲେ ବୈଠକରେ ଯୋଗ ଦେଇନଥିଲେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଓ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ୍ । ଜ୍ୱରରେ ପୀଡିତ ଥିବାରୁ ବୈଠକକୁ ଆସିପାରିନଥିଲେ ବୋଲି କହିଥିଲେ । ସେହିପରି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ବୈଠକରେ ଯୋଗ ଦେଇନଥିଲେ । ସେ ବୈଠକ ବାବଦରେ ଅବଗତ ନଥିବାରୁ ଯୋଗ ଦେଇନଥିବା ଟିଏମସି ପକ୍ଷରୁ କୁହାଯାଇଥିଲା । ହେଲେ ଆଜିର ଶପଥ ସମାରୋହରେ ଯୋଗ ଦେବାକୁ ତାଙ୍କୁ ରାହୁଲ ଗାନ୍ଧୀ ଆମନ୍ତ୍ରଣ କରିଥିଲେ । ହେଲେ ସେ ଅନ୍ୟ କାମରେ ବ୍ୟସ୍ତ ଥିବାରୁ ଦଳର ଅନ୍ୟ ନେତା ଡାରେକ ଓବ୍ରାଏନ ବୈଠକରେ ଯୋଗ ଦେବେ ବୋଲି ଦଳ ପକ୍ଷରୁ କୁହାଯାଇଥିଲା । ସେହିପରି ମଧ୍ୟପ୍ରଦେଶ ନିର୍ବାଚନକୁ ନେଇ ଏସପି ଓ କଂଗ୍ରେସ ମଧ୍ୟରେ ବିବାଦ ରହିଛି । ତେଣୁ ଅଖିଳେଶ ମଧ୍ୟ ଆଜିର ଶପଥ ସମାରୋହକୁ ଆସିବେ ନାହିଁ ।

Related Posts