ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ବିଧାନସଭାର ପ୍ରଶ୍ନକାଳରେ ଏକ ପ୍ରଶ୍ନର ଉତ୍ତର ରଖି ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ୫୧ ହଜାର ୭୨୭ ରାଜସ୍ୱ ଗ୍ରାମ ରହିଛି। ଏଥିସହିତ ୫ ହଜାର ୧୫ଟି ପଡା ଗ୍ରାମ ଅଛି । ତେବେ ସେ ମଧ୍ୟରୁ ୬୬୫ଟି ପଡା ଗାଁକୁ ରାଜସ୍ୱ ଗ୍ରାମର ମାନ୍ୟତା ଦିଆଯାଇଛି ଏବଂ ୯୯୮ଟି ପଡା ଗ୍ରାମକୁ ଉପଯୁକ୍ତ କାଗଜପତ୍ର ନଥିବା ହେତୁ ରଦ୍ଦ କରାଯାଇଛି ।

ମନ୍ତ୍ରୀଙ୍କ ସୂଚନା ମୁତାବକ, ବର୍ତ୍ତମାନ ରାଜ୍ୟରେ ୫୧ ହଜାର ୭୨୭ଟି ରାଜସ୍ୱ ଗ୍ରାମ ରହିଛି । ୩୩୫୨ଟି ପଡା ଗ୍ରାମ ବର୍ତ୍ତମାନ ସୁଦ୍ଧା ରାଜସ୍ୱ ଗ୍ରାମର ମାନ୍ୟତା ପାଇବା ବାକି ଅଛି । ଏ ସଂକ୍ରାନ୍ତୀୟ ପ୍ରସ୍ତାବ ଜିଲ୍ଲାପାଳଙ୍କଠାରୁ ମିଳିଲେ,ଭ-ଅଭିଲେଖ ପରିମାକଙ୍କ ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡକୁ ଦୃଷ୍ଟିରେ ରଖି ବିଧିବ୍ୟବସ୍ଥା ଅନୁଯାୟୀ ପଡାଗ୍ରାମକୁ ନୂତନ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ।

ମନ୍ତ୍ରୀ ଗୃହରେ ଆହୁରି ମଧ୍ୟ ଉତ୍ତର ରଖିଛନ୍ତି ଯେ, ଶେଷଥର ପାଇଁ ୨୦୨୨ ମସିହା ନଭେମ୍ବର ୨୪ ତାରିଖରେ ଜଗତସିଂହପୁର ଜିଲ୍ଲାର ନୂଆ ଗାଁ ତହସିଲର ପୂର୍ବାଓଷକଣା ପଡାଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦିଆଯାଇଥିଲା । ତେବେ କୋରାପୁଟ ଜିଲ୍ଲାରେ ସର୍ବମୋଟ ୧୯୬୬ଟି ପଡା ଗ୍ରାମ ଥିବାବେଳେ, ୪୫୦ଟି ପଡା ଗ୍ରାମ ରହିଛି । ସେ ଭିତରୁ ୨୫ଟି ରାଜସ୍ୱ ଗ୍ରାମର ମାନ୍ୟତା ପାଇଥିବାବେଳେ, ବର୍ତ୍ତମାନ ୪୨୫ଟି ପଡା ଗ୍ରାମ ରାଜସ୍ୱ ଗ୍ରାମ ରୂପେ ମାନ୍ୟତା ଦେବା ପାଇ ବାକି ଅଛି ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଓଡିଶାରେ କେତୋଟି ରାଜସ୍ୱ ଗ୍ରାମ ଏବଂ ପଡା ଗ୍ରାମ ରହିଛି ସେନେଇ ମନ୍ତ୍ରୀଙ୍କଠାରୁ ଉତ୍ତର ମାଗିଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଖାଲି ସେତିକି ନୁହେଁ, ଶେଷଥର ପାଇଁ କେତେ ପଡାଗ୍ରାମକୁ ରାଜସ୍ୱ ଗ୍ରାମ ଭାବେ ଘୋଷଣା କରାଯାଇଥିଲା? କୋରାପୁଟ ଜିଲ୍ଲାରେ କେତେ ରାଜସ୍ୱ ଓ ପଡା ଗ୍ରାମ ରହିଛି ସେନେଇ ମଧ୍ୟ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ । ଯାହାର ଉତ୍ତର ରଖିବା ସହିତ ଆଜି ଏହି ତଥ୍ୟ ବିଧାନସଭାରେ ଉପସ୍ଥାପନ କରିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ ।