ଭୁବନେଶ୍ୱର,୧୧/୨(ସତ୍ୟପାଠ ବ୍ୟୁରୋ): ଚାଉଳ ଜୀବନର ଶସ୍ୟ। ଖାଦ୍ୟ ସୁରକ୍ଷାରେ ଚାଉଳର ଭୂମିକା କଣ ତାହା ସମସ୍ତଙ୍କୁ ଜଣା। ଚାଉଳ ଉତ୍ପାଦନ ଆମ ଅର୍ଥନୀତିକୁ ସମୃଦ୍ଧ କରିଛି। କଟକ ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଇଣ୍ଡିଆନ ରାଇସ୍‌ କଂଗ୍ରେସର ଉଦ୍‌ଘାଟନ ଅବସରରେ ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଆହୁରି କହିଛନ୍ତି ଯେ, ଯୁବ ବୈଜ୍ଞାନିକ, ବିଶେଷ କରି ମହିଳା ବୈଜ୍ଞାନିକଙ୍କୁ ଦେଖି ମୁଁ ବହୁତ ଖୁସି। ବିଭିନ୍ନ ପୂଜାପର୍ବାଣୀରେ ଧାନର ଭୂମିକା ଅନସ୍ବୀକାର୍ଯ୍ୟ। ଭାରତ ସର୍ବାଧିକ ଚାଉଳ ରପ୍ତାନି କରି ଅନ୍ୟ ଦେଶକୁ ମଧ୍ୟ ଖାଦ୍ୟ ଯୋଗାଉଛି। ଅତ୍ୟଧିକ ସାର ବ୍ୟବହାର ମାଟିର ମାନ ନଷ୍ଟ କରୁଛି। ଏଣୁ ଇକୋଫ୍ରେଣ୍ଡଲି ଉପାୟରେ ଧାନ ଉତ୍ପାଦନ କରିବା ଦିଗରେ କୃଷି ବୈଜ୍ଞାନିକମାନଙ୍କ ଉଦ୍ୟମ ଜାରି ରଖିବା ଉଚିତ। ଆମ ବୈଜ୍ଞାନିକମାନେ ଏଥିପାଇଁ କାର୍ଯ୍ୟ କରିବେ ବୋଲି ମୋର ଆଶା ଅଛି ବୋଲି ରାଷ୍ଟ୍ରପତି କହିଛନ୍ତି ।

ଏହି ଅବସରରେ ଉଦବୋଧନ ଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି ଯେ, କୃଷି ଓ କୃଷକଙ୍କର ବିକାଶଲାଗି ନରେନ୍ଦ୍ର ମୋଦୀଙ୍କ ସରକାର ନିରନ୍ତର ଚେଷ୍ଟା ଚଳାଇଛି। ଭାରତ ସମଗ୍ର ବିଶ୍ବରେ ଧାନ ଉତ୍ପାଦନରେ ପ୍ରଥମ ହୋଇଛି। ପିଏମ୍ କିସାନ ସମ୍ମାନ ନିଧି ଯୋଜନା ପ୍ରଚଳନ କରି କେନ୍ଦ୍ର ସରକାର ଏଯାଏ ସାଢ଼େ ୧୧ କୋଟି କୃଷକଙ୍କୁ ୨.୨୪ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି।

ଆଜି ଓଡିଶା ଗସ୍ତର ଦ୍ଵିତୀୟ ଦିନରେ କଟକ ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା ଅନୁଷ୍ଠାନରେ ଦ୍ବିତୀୟ ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ରାଷ୍ଟ୍ରପତି ଓ ରାଜ୍ୟପାଳ କେତେକ ପୁସ୍ତକ ଉନ୍ମୋଚନ କରିଥିଲେ।