ପିଏଫଆଇ ଭଳି ଆରଏସଏସକୁ ମଧ୍ୟ ବ୍ୟାନ କରାଯାଉ: ଲାଲୁ ଯାଦବ

ଭୁବନେଶ୍ଵରର ( ସତ୍ୟପାଠ ବ୍ୟୁରୋ ): ଏକାଧିକ ଥର ରେଡ୍ ଓ ଗିରଫଦାରୀ ପରେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)କୁ ୫ ବର୍ଷ ପାଇଁ ନିଷିଦ୍ଧ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଦ୍ଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଏହାପରେ ଏହି ପ୍ରସଙ୍ଗକୁ ନେଇ ଦେଶରେ ରାଜନୈତିକ ସ୍ଥିତିରେ ଉଷ୍ଣତା ଭରିବା ଆରମ୍ଭ ହୋଇଛି। ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ପିଏଫଆଇ ଭଳି ଆରଏସଏସକୁ ମଧ୍ୟ ନିଷିଦ୍ଧ କରାଯିବା ଉଚିତ। ଲାଲୁ ଯାଦବ କହିଛନ୍ତି ଯେ, ଉଭୟ ପିଏଫଆଇ ଏବଂ ଆରଏସଏସ ବିରୋଧରେ ତଦନ୍ତ କରାଯିବା ଜରୁରୀ। ଉଭୟ ସଙ୍ଗଠନ ଦେଶରେ ଧାର୍ମିକ ଉନ୍ମାଦ ସୃଷ୍ଟି କରୁଛନ୍ତି। ସେ ଆହୁରି କହିଛନ୍ତି ଯେ, ପୂର୍ବରୁ ମଧ୍ୟ ଆରଏସଏସ ଉପରେ ଦୁଇ ଥର ବ୍ୟାନ ଲାଗି ସାରିଛି। ପ୍ରଥମ ଥର ପାଇଁ ଲୌହ ପୁରୁଷ ସର୍ଦ୍ଦାର ପଟେଲ ଆରଏସଏସ ଉପରେ ବ୍ୟାନ ଲଗାଇଥିଲେ ବୋଲି ଲାଲୁ ମନେ ପକାଇ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ଦେଶରେ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଘୃଣା ସୃଷ୍ଟି କରିବାର ପ୍ରୟାସ କରା ଯାଉଛି। ଲୋକଙ୍କ ମଧ୍ୟରେ ଆରଏସଏସ ଦ୍ଵାରା ସାମ୍ପ୍ରଦାୟିକ ହିଂସା ବିସ୍ତାର କରିବାକୁ ଚେଷ୍ଟା କରାଯାଉଛି। ତେଣୁ ଏହାକୁ ତୁରନ୍ତ ବ୍ୟାନ କରାଯାଉ ବୋଲି ଲାଲୁ ଦାବି କରିଛନ୍ତି।

ସେହିପରି ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ ବିଧାୟକ ଏମ.କେ ମୁନିର ସମାନ କଥା ଦୋହରାଇଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ସିମିକୁ ମଧ୍ୟ ନିଷେଧ କରାଯାଇଥିଲା କିନ୍ତୁ କୌଣସି ସୁଫଳ ମିଳି ନଥିଲା। ଏଭଳି ପରିସ୍ଥିତିରେ କେବଳ ନିଷେଧ କରିବା ଠିକ ପଦକ୍ଷେପ ନୁହେଁ।

Related Posts