ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆମେରିକୀୟ ଡଲାର ତୁଳନାରେ ୯୬ ଟଙ୍କା ସ୍ତର ଅତିକ୍ରମ କଲା ଟଙ୍କା । ଗତ କିଛି ଦିନ ଧରି ଟଙ୍କା ଦୁର୍ବଳରୁ ଅତି ଦୁର୍ବଳ ସ୍ତର ଆଡ଼କୁ ଗତି କରୁଥିଲା। ମୁଦ୍ରା ବିନିମୟ ବଜାରରେ କାରବାର ବେଳେ ଆଜି ଏକ ସମୟରେ ଡଲାର ଦାମ୍‌ ୯୬ ଟଙ୍କା ୫ ପଇସା ହୋଇଯାଇଥିଲା। ଚଳିତ ବର୍ଷ ଡଲାର ତୁଳନାରେ ଟଙ୍କା ୬ ପ୍ରତିଶତରୁ ଅଧିକ ଦୁର୍ବଳ ହୋଇସାରିଲାଣି। ଏସିଆର ବିଭିନ୍ନ ଦେଶ ତୁଳନାରେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ପ୍ରଦର୍ଶନ ସବୁଠୁ ଖରାପ ରହିଛି। ଅଶୋଧିତ ତୈଳ ଦର ବଢ଼ିଲେ ଡଲାର ଚାହିଦା ହଠାତ୍‌ ବଢ଼ିଯାଏ।

ଆମଦାନିକାରୀମାନେ ଅଧିକ ଡଲାର କିଣୁଥିବାରୁ ତାହାର ଦାମ୍‌ ବଢ଼ୁଥିବା ଟ୍ରେଡରମାନେ କହିଛନ୍ତି। ଭାରତ ଅଶୋଧିତ ତେଲ, ସାର, ଖାଇବା ତେଲ ଭଳି ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ବିପୁଳ ପରିମାଣର ଡଲାର ଖର୍ଚ୍ଚ କରୁଛି। ଏଭଳି ସ୍ଥିତିରେ ଟଙ୍କା ଦୁର୍ବଳ ହେବା ଦ୍ବାରା ଭାରତୀୟ ରିଜର୍ଭ ବ୍ୟାଙ୍କର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଚାପ ସୃଷ୍ଟି ହୋଇଛି। ସେଥିରେ ଥିବା ଡଲାରକୁ ରିଜର୍ଭ ବ୍ୟାଙ୍କ ବାହାର କରି ବିକ୍ରି କରୁଥିବାରୁ ଭଣ୍ଡାର ପରିମାଣ ଲାଗାତାର ଭାବେ କମ୍‌ ହେବାରେ ଲାଗିଛି।