ଋଷବ ପନ୍ତଙ୍କ କାର୍ ଦୁର୍ଘଟଣାଗସ୍ତ: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ନୁଆଦିଲ୍ଲୀ: ସକାଳୁ ସକାଳୁ କ୍ରିକେଟ ଦୁନିଆରୁ ଏକ ଦୁଃଖ ଖବର ସାମ୍ନାକୁ ଆସିଛି। ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟର ଋଷବ ପନ୍ତଙ୍କର କାର୍ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ପନ୍ତ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ଉତ୍ତରାଖଣ୍ଡରୁ ଦିଲ୍ଲୀ ସ୍ଥିତ ଘରକୁ ଫେରୁଥିବା ବେଳେ ପନ୍ତଙ୍କ ମର୍ସିଡିଜ୍‌ କାର ଗୋଟିଏ ଡିଭାଇଡର୍‌ରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍‌ଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି। ସେହିପରି ପନ୍ତ ଗୁରୁତର ଆହତ ହୋଇଛନ୍ତି।

ତାଙ୍କ ମୁଣ୍ଡ, ପିଟି, ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଛି। ଏବେ ସେ ହସ୍ପିଟାଲରେ ରହିଛନ୍ତି। ତାଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ତାଙ୍କର ପ୍ଲାଷ୍ଟିକ ସର୍ଜରୀ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ସାମ୍ନାକୁ ଆସିଥିବା ଫଟୋରେ ପନ୍ତ ହସ୍ପିଟାଲ ବେଡରେ ଶୋଇଥିବା ବେଳେ ତାଙ୍କ ମୁଣ୍ଡରେ ପଟି ପଡ଼ିଛି। ସେହିପରି ଆଉ କିଛି ଫଟୋରେ ତାଙ୍କ ପିଠି ଓ ହାତରେ ଗଭୀର କ୍ଷତଚିହ୍ନ ରହିଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁସାରେ, ପନ୍ତ ନିଜେ ଡ୍ରାଇଭିଂ କରି ଉତ୍ତରାଖଣ୍ଡରୁ ଦିଲ୍ଲୀ ଆସୁଥିଲେ। କିନ୍ତୁ ରୁର୍କୀ ନିକଟରେ ଏହା ଭାରସାମ୍ୟ ହରାଇ ଡିଭାଇଡର୍‌ରେ ପିଟି ହୋଇଯାଇଥିଲା। ଗାଡ଼ିର ବେଗ ଅଧିକ ଥିବାରୁ ଦୁର୍ଘଟଣା ପରେ ଏଥିରେ ନିଆଁ ଲାଗି ଯାଇଥିଲା। ତେବେ ସୌଭାଗ୍ୟବଶତଃ ପନ୍ତ ଗାଡ଼ି ବାହାରକୁ ଚାଲି ଆସିଥିଲେ। ତେଣୁ ତାଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଛି। କିନ୍ତୁ ସେ ଦୁର୍ଘଟଣା ଯୋଗୁ ଗୁରୁତର ଆହତ ହୋଇଛନ୍ତି।

ଉତ୍ତରାଖଣ୍ଡ ପୁଲିସ ଡିଜି ଅଶୋକ କୁମାର ଦୁର୍ଘଟଣା ଖବରକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ପନ୍ତ ଏକାକୀ ଗାଡ଼ି ଭିତରେ ଥିଲେ। ଦୁର୍ଘଟଣା ପରେ ଗାଡ଼ିରେ ନିଆଁ ଲାଗି ଯିବାରୁ ପନ୍ତ ୱିଣ୍ଡସ୍କ୍ରିନ ଭାଙ୍ଗି ଠିକଣା ସମୟରେ ବାହାରକୁ ଚାଲି ଆସିଥିଲେ। ତଥାପି ତାଙ୍କ ମୁଣ୍ଡ, ଆଣ୍ଠୁ ଓ ଶରୀର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ସମ୍ଭବତଃ ତାଙ୍କ ଗୋଡ଼ ମଧ୍ୟ ଭାଙ୍ଗି ଯାଇଛି। ତାଙ୍କର ଚିକିତ୍ସା ଡେରାଡୁନର ମାକ୍ସ ହସ୍ପିଟାଲରେ କରାଯାଇଥିବା ଅଶୋକ କୁମାର ସୂଚନା ଦେଇଛନ୍ତି।

ନିକଟରେ ପନ୍ତ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ ଖେଳିଥିଲେ। କିନ୍ତୁ ଜାନୁଆରୀ ୩ରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍‌ରୁ ସେ ବାଦ ପଡ଼ିଛନ୍ତି। ବାଂଲାଦେଶ ବିପକ୍ଷ ସିରିଜ୍‌ ପରେ ପନ୍ତ ଦୁବାଇ ଯାଇ ଖ୍ରୀଷ୍ଟମାସ ପାଳନ କରିଥିଲେ। ତାଙ୍କ ସହ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଦେଖିବାକୁ ମିଳିଥିଲା।

Related Posts