ୟୁକ୍ରେନରେ ତାଣ୍ଡବ ରଚୁଛନ୍ତି ପୁଟିନ ବାହିନୀ | ଲଗାତାର ଭାବେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛନ୍ତି | ଆଜି ୪ର୍ଥ ଦିନରେ ଯୁଦ୍ଧ ପହଁଚିଥିବା ବେଳେ ରୁଷିଆ ମିସାଇଲ ଓ ରକେଟ ଆକ୍ରମଣ କରିଛି । ଜାରି ରହିଛି ରୁଷର ଘନ ଘନ ଆକ୍ରମଣ | ୟୁକ୍ରେନ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା ବେଳେ, ସେପଟେ ରୁଷର ସେନାର ଆକ୍ରମଣରେ ମୁହଁତୋଡ ଜବାବ ଦେଉଛି ୟୁକ୍ରେନ୍।
ସେପଟେ ୟୁକ୍ରେନ-ଋଷ ଯୁଦ୍ଧ ବିଶ୍ବ ସଙ୍କଟର ରୂପ ନେଉଥିବା ଋଷ ବିରୁଦ୍ଧରେ ମେଳି କରିଛନ୍ତି ଅନେକ ଶକ୍ତିଶାଳୀ ରାଷ୍ଟ୍ର । ଗୋଟିଏ ପଟେ ଋଷର ଆକ୍ରମଣକୁ ନେଇ ପାଶ୍ଚତ୍ୟ ରାଷ୍ଟ୍ରସମୂହ ଏବଂ ପୁଟିନ ସରକାରଙ୍କ ମଧ୍ୟରେ ତିକ୍ତତା ବଢୁଥିବା ଦେଖିବାକୁ ମିଳିଛି | ତେବେ ଅନେକ ଶକ୍ତିଶାଳୀ ଦେଶ ରୁଷ କୁ ବିରୋଧ କରୁଥିବା ବେଳେ ଭାରତ ର ଭୂମିକା ଏବେ ଦ୍ବନ୍ଦରେ ରହିଛି | ଭାରତ-ଋଷ ମଧ୍ୟରେ ଥିବା ମଧୁର ସମ୍ପର୍କ ଅନ୍ୟ ଦେଶ ମାନଙ୍କ ସହ ତିକ୍ତତାକୁ ବୃଦ୍ଧି କରୁଛି | ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଆଭିମୁଖ୍ୟକୁ ଭୁରି ଭୁରି ପ୍ରଶଂସା କରିଛି ଋଷ ।
ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ଆମେରିକା ଏବଂ ଅନ୍ୟାନ୍ୟ ୟୁରୋପୀୟ ରାଷ୍ଟ୍ର ଋଷ ବିରୋଧରେ ଜାତିସଂଘ ସୁରକ୍ଷା ପରିଷଦରେ ନିନ୍ଦା ପ୍ରସ୍ତାବ ଆଣିଥିଲେ । ଶନିବାର ଏହି ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲା । ମାତ୍ର ମତଦାନରେ ସାମିଲ ହୋଇନଥିଲା ଭାରତ । ଭାରତ ସମେତ ଚୀନ ଏବଂ ୟୁଏଇ ଭୋଟ ଦେଇନଥିଲେ । ଜାତିସଂଘ ପ୍ରସ୍ତାବ ଉପରେ ଭାରତର ଏଭଳି ସ୍ବତନ୍ତ୍ର ଏବଂ ସନ୍ତୁଳିତ ଆଭିମୁଖ୍ୟକୁ ଖୁବ୍ ପ୍ରଶଂସା କରିଛି ଋଷ । ସେପଟେ ଭାରତ କୁଟନୀତି ଓ ଆଲୋଚନା ମାଧ୍ୟମରେ ଯୁଦ୍ଧର ସମାଧାନ ଚାହୁଁଛି । ତେଣୁ ଋଷ ନିନ୍ଦା ପ୍ରସ୍ତାବ ଉପରେ ମତଦାନରୁ ବିରତ ରହିଛି ବୋଲି ଭାରତ କହିଛି ।
ପ୍ରକାଶଥାଉ କି, ଋଷକୁ ଯୁଦ୍ଧରୁ ନିବୃତ୍ତ ରଖିବାକୁ ଯଥାସମ୍ଭବ ପ୍ରଚେଷ୍ଟା ଚଳାଇଛନ୍ତି ୟୁରୋପୀୟ ରାଷ୍ଟ୍ର । ଜାତିସଂଘ ମଧ୍ୟ ଋଷକୁ ନିନ୍ଦା କରିଛି । ଆର୍ଥିକ ପ୍ରତିବନ୍ଧକ ଲଗାଇ ଋଷକୁ ଏକଘରକିଆ କରିବାକୁ ସୁପରପାୱାର ଆମେରିକା ସହ ଏକାଠି ହୋଇଛନ୍ତି ଅନେକ ଶକ୍ତିଶାଳୀ ରାଷ୍ଟ୍ର । ହେଲେ ଏସବୁକୁ ଖାତିର ନକରି ଋଷ ଆକ୍ରମଣ ଜାରି ରଖିଛି ।
