ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଋୁଷ ଜାରି କଲା ଶତ୍ରୁଦେଶର ତାଲିକା । ୟୁକ୍ରେନ ଉପରେ ହୋଇଥିବା ଯୁଦ୍ଧକୁ ବିରୋଧ କରି କଟକଣା ଲଗାଇଥିବାରୁ ରୁଷ ୩୧ଟି ଦେଶକୁ ଶତ୍ରୁ ବୋଲି କହିଥିବା ଜଣାପଡ଼ିଛି। ଏହି ସୂଚୀରେ ଆମେରିକା, ଜାପାନ, ବ୍ରିଟେନ ଭଳି ଦେଶ ଥିବା ଦେଖାଯାଇଛି। ଚୀନର ଗଣମାଧ୍ୟମ ସିଜିଟିଏନ ଦାବି କରିଛି ଯେ ରୁଷ ଏହାର ଶତ୍ରୁ ଦେଶ ତାଲିକାକୁ ଅନୁମୋଦନ କରିଛି। ୟୁକ୍ରେନ ବ୍ୟତୀତ ଆମେରିକା, ବ୍ରିଟେନ, ଜାପାନ ଏବଂ ୟୁରୋପୀୟ ସଂଘରେ ସଦସ୍ୟ ଥିବା ଦେଶ ଏହି ତାଲିକାରେ ରହିଛନ୍ତି।
ୟୁରୋପୀୟ ସଂଘରେ ୨୭ଟି ଦେଶ ରହିଥିବା ବେଳେ ମୋଟ ୩୧ଟି ଦେଶକୁ ଶତ୍ରୁ ଦେଶ ତାଲିକାରେ ସାମିଲ କରିଛି ରୁଷ। କ୍ରେନ ଉପରେ ରୁଷ ଆକ୍ରମଣ କରିବା ପରେ ଏହି ଦେଶଗୁଡ଼ିକ ରୁଷ ଉପରେ ଆର୍ଥିକ କଟକଣା ଲଗାଇବା ସହ ଅନେକ ପ୍ରକଳ୍ପକୁ ସ୍ଥଗିତ ରଖିଥିଲେ। ଏହାର କଡ଼ା ଜବାବ ଦିଆଯିବ ବୋଲି ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଥିବା ବେଳେ ଏବେ ରୁଷ ଏହାର ଜବାବ ଦେଇଛି। କଟକଣା ଲଗାଇଥିବା ବା ୟୁକ୍ରେନ ଉପରେ ହୋଇଥିବା ଯୁଦ୍ଧକୁ ବିରୋଧ କରି ଯେଉଁ ଦେଶ ରୁଷ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲେ, ସେମାନଙ୍କୁ ଶତ୍ରୁ ତାଲିକାରେ ରୁଷ ସାମିଲ କରିଛି।
