ଭୁବନେଶ୍ୱର,୩୧/୧୨(ସତ୍ୟପାଠ ବ୍ୟୁରୋ): ରାୟଗଡ଼ାରେ ୨ଜଣ ଋଷ ନାଗରିକଙ୍କ ମୃତ୍ୟୁ ପରେ ଚେତିଛି ଜିଆରପି ପୁଲିସ ଓ ସ୍ପେଶାଲ ବ୍ରାଞ୍ଚ। ସନ୍ଦେହ ଘେରରେ ଥିବା ଜଣେ ରୁଷ୍ ନାଗରିକଙ୍କୁ ଆଜି ପୁଲିସ ଉଠାଇନେଇଛି। ରେଳବାଇ ଥାନାରେ ଉକ୍ତ ରୁଷ୍ ନାଗରିକଙ୍କୁ ଅଟକ ରଖି ଜିଆରପି ପୁଲିସ, ଖାରବେଳ ଥାନା ପୁଲିସ ଓ଼ ସ୍ପେଶାଲ ବ୍ରାଞ୍ଚ ପୁଲିସ ପଚରାଉଚରା କରୁଛି।
ଅଟକ ଥିବା ରୁଷୀୟ ନାଗରିକଙ୍କ ନାଆଁ ହେଲା ଗ୍ଲାଗୋଲେଭ୍ ଆଣ୍ଡ୍ର୍ୟୁ। ତାଙ୍କର ବୟସ ୫୮ ବର୍ଷ। ସେ କିଛିଦିନ ଧରି ଭୁବନେଶ୍ୱର ରେଳ ଷ୍ଟେସନରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ଗ୍ଲାଗୋଲେଭ୍ କେଉଁଠାକୁ ଯାଇଛନ୍ତି ଓ ରହିଛନ୍ତି ସେନେଇ ତଥ୍ୟ ଖୋଜୁଛି ପୁଲିସ। ତେବେ
ତାଙ୍କର ଛଅ ମାସ ଭିସାର ଅବଧି ଶେଷ ହୋଇଯାଇଥିବା ଜଣାଯାଇଛି। ୨୦୧୬ରୁ ସେ ଭାରତକୁ ଆସିଛନ୍ତି। ଓଡ଼ିଶାକୁ ମଧ୍ୟ ବହୁଦିନ ହେବ ଆସି ଅନେକ ସ୍ଥାନରେ ସେ ରହିଛନ୍ତି। ତା୍ଙ୍କ କହିବା କଥା, ଭାରତରେ ତାଙ୍କୁ ଭଲ ଲାଗୁଛି, ସେ ଭାରତରେ ରହିବାକୁ ଚାହୁଁଛନ୍ତି।
ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଷ୍ଟେସନରେ ଏହି ରୁଷ ନାଗରିକଙ୍କୁ ଠାବ କରାଯାଇଥିଲା । ମୁଁ ପୁଟିନ୍ ବିରୋଧୀ । ମତେ ରକ୍ଷା କର. । ‘ଆଇ ଆମ୍ ରଷିଆନ୍ ରିଫ୍ୟୁଜି । ଆଇ ଆମ୍ ଏଗନ୍ଷ୍ଟ ଦ ୱାର୍ । ଆଇ ଆମ୍ ଏଗନ୍ଷ୍ଟ ପୁଟିନ୍ । ଆଇ ଆମ୍ ହୋମ୍ଲେସ୍ । ପ୍ଲିଜ୍ ହେଲ୍ପ ମି’. । ହାତରେ ଏମିତି କିଛି ଲେଖାଥିବା ଏକ ବୋର୍ଡ ଧରିଥିଲେ । ମୁଣ୍ଡରେ ଟୋପି, କାନ୍ଧରେ ବ୍ୟାଗ୍ । ଟିସାର୍ଟ ସାଙ୍ଗକୁ ୱାନ୍ ଥାର୍ଡ ଟ୍ରାକ୍ ସୁଟ୍ ପିନ୍ଧିଥିଲେ । ଭୁବନେଶ୍ୱର ଷ୍ଟେସନ୍ ମୁଖ୍ୟ ପ୍ରବେଶ ଦ୍ୱାରରେ ଏଭଳି ଅବସ୍ଥାରେ ଛିଡ଼ା ହୋଇ ସାହାଯ୍ୟ ମାଗୁଥିଲେ । ରୁଷିଆ -ୟୁକ୍ରେନ୍ ଯୁଦ୍ଧକୁ ନେଇ ଭୁବନେଶ୍ୱର ରେଳ ଷ୍ଟେସନରେ ସେ ପ୍ରତିବାଦ କରିଥିଲେ।
