ମସ୍କୋ : ଫେବୃଆରୀ 24 ରୁ ଆରମ୍ଭ ହୋଇଥିବା ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏଯାବତ୍ ଚାଲୁ ରହିଛି । ଏହାରି ମଧ୍ୟରେ ୟୁକ୍ରେନ ର ଅନେକ ସହର ଧ୍ଵଂସ ହୋଇଯାଉଛି । ଅନେକ ଜନଜୀବନ ନଷ୍ଟ ହୋଇଯାଇଛି । ଅନେକ ଲୋକ ବାସହରା ହେବା ସହ ଅନେକ ପ୍ରାଣ ମଧ୍ଯ ହରାଇଛନ୍ତି । ତେବେ ଏହାରି ମଧ୍ୟରେ ଯୁଦ୍ଧ ପ୍ରବଣ ୟୁକ୍ରେନ ପ୍ରତି ଅନେକ ଦେଶ ସାହାଯ୍ୟର ହାତ ବଢ଼ାଇଛନ୍ତି ।
ତେବେ ଏହାରି ମଧ୍ୟରେ ରୁଷିଆ ଖବରଦାତା ଦିମିତ୍ରୀ ମୁରାତୋଭ ତାଙ୍କ ନୋବେଲ ଶାନ୍ତି ପୁରସ୍କାର ନିଲାମ କରିଛନ୍ତି। ୟୁକ୍ରେନ ଯୁଦ୍ଧରେ ବିସ୍ଥାପିତ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ମୁରାତୋଭ ନିଲାମରୁ ଆସିଥିବା ଅର୍ଥକୁ ସିଧାସଳଖ ୟୁନିସେଫକୁ ପ୍ରଦାନ କରିବେ। ଅକ୍ଟୋବର ୨୦୨୧ରେ ନୋବେଲ ଶାନ୍ତି ପୁରସ୍କାର ପାଇଥିବା ମୁରାତୋଭ ସ୍ବତନ୍ତ୍ର ଖବରକାଗଜ ‘ନୋଭାୟା ଗେଜେଟ’ ପ୍ରତିଷ୍ଠା କରିଥିଲେ। ମାର୍ଚ୍ଚରେ ଏହି ଖବରକାଗଜ ବନ୍ଦ ହେବା ପର୍ଯ୍ୟନ୍ତ ସେ ଏହାର ମୁଖ୍ୟ ସମ୍ପାଦକ ଥିଲେ।
ରୁଷିଆର ୟୁକ୍ରେନ ଉପରେ ଆକ୍ରମଣ ଏବଂ ଖବରଦାତାଙ୍କ ଉପରେ ରୁଷିଆର କଟକଣା ପରେ ଏହି ଖବରକାଗଜ ବନ୍ଦ ହୋଇଯାଇଥିଲା।
ରେକର୍ଡ ୧୦୩.୫ ନିୟୁତ ଡଲାରରେ ମୁରାତୋଭଙ୍କ ନୋବେଲ ପଦକ ନିଲାମ କରାଯାଇଥିଲା। ଏହି ଅର୍ଥ ୟୁକ୍ରେନ ଯୁଦ୍ଧରେ ବିସ୍ଥାପିତ ପିଲାମାନଙ୍କୁ ସହାୟତା କରାଯିବ। ଯୁଦ୍ଧରେ ଅନାଥ ହୋଇଯାଇଥିବା ପିଲାମାନଙ୍କ ପାଇଁ ମୁଁ ବେଶ୍ ଚିନ୍ତିତ। ଆମେ ସେମାନଙ୍କ ଭବିଷ୍ୟତକୁ ଫେରାଇବାକୁ ଚାହୁଁଛୁ ବୋଲି ମୁରାତୋଭ କହିଛନ୍ତି।
ଫିଲିପାଇନ୍ସର ଖବରଦାତା ମାରିଆ ରେସାଙ୍କ ସହ ମୁରାତୋଭଙ୍କୁ ଗତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା ।
