ରୁଷ ରାଷ୍ଟ୍ରପତି ପୁଟିନଙ୍କ ଦେଶର କଏଦୀଙ୍କୁ ଅଫର୍; ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଲଢ଼, ଜେଲରୁ ମିଳିବ ମୁକ୍ତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରୁଷର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଏବେ ଦେଶର ବିଭିନ୍ନ ଜେଲ୍‌ରେ ବନ୍ଦୀ ଥିବା କଏଦୀଙ୍କୁ ଏକ ଅଫର ଦେଇଛନ୍ତି । ପୁଟିନ୍‌ କଏଦୀ ମାନଙ୍କୁ କହିଛନ୍ତି, ୟୁକ୍ରେନ୍‌ ସହ ଋଷର ଜାରି ରହିଥିବା ଯୁଦ୍ଧରେ ସାମିଲ ହୁଅ ଓ ଦେଶ ପାଇଁ ଲଢେଇ କର । ଯୁଦ୍ଧରେ ୟୁକ୍ରେନୀୟ ସୈନ୍ୟ ବିରୋଧରେ ଲଢ଼ିଲେ ଜେଲରୁ ସବୁଦିନ ପାଇଁ ମୁକ୍ତି ମିଳିବ । ପୁଟିନ୍‌ଙ୍କ ଏଭଳି ଅଫର ପ୍ରତି ଆଜୀବନ ସଜା କାଟୁଥିବା କଏଦୀମାନେ ଆକୃଷ୍ଟ ହୋଇଛନ୍ତି ।

୧୦ ବର୍ଷ ଓ ତଦୂଦ୍ଧ୍ୱର୍ ଜେଲ ଦଣ୍ଡାଦେଶ ପାଇଥିବା କଏଦୀମାନେ ମଧ୍ୟ ଏଥିପାଇଁ ମନ ବଳାଇଛନ୍ତି । କିଛି କଏଦୀ ଏହି ଅଫର୍‌କୁ ଗ୍ରହଣ ମଧ୍ୟ କରିନେଇଛନ୍ତି । ୟୁକ୍ରେନ୍‌ ସହ ଚଳିତବର୍ଷ ଫେବ୍ରୁଆରୀ ୨୪ରୁ ରୁଷ ଯୁଦ୍ଧ ଜାରି ରଖିଛି । ଏହି ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଛୋଟ ଦେଶ ହେଲେ ମଧ୍ୟ ୟୁକ୍ରେନ୍‌ ଜୋରଦାର ଜବାବ ଦେଉଛି । ଯୁଦ୍ଧ ଆରମ୍ଭରୁ ଏ ପର୍ଯ୍ୟନ୍ତ ରୁଷ ଏହାର ପ୍ରାୟ ୭୫,୦୦୦ ସୈନ୍ୟ ହରାଇଥିବା ରିପୋର୍ଟରୁ ଜଣାପଡ଼ିଛି ।

ଏଭଳି ସ୍ଥିତିରେ ଜେଲର କଏଦୀଙ୍କୁ ବ୍ୟବହାର କରିବା ପାଇଁ ପୁଟିନ୍‌ ବାଧ୍ୟ ହୋଇଛନ୍ତି । ଶାରୀରିକ ଦୃଷ୍ଟିରୁ ଫିଟ୍‌ ଥିବା ଯୁବ ବର୍ଗର କଏଦୀମାନଙ୍କୁ ପ୍ରଥମ ପସନ୍ଦ ଭାବେ ଚୟନ କରାଯାଇ ଅଫର ଦିଆଯାଉଛି । ଏପରିକି ଯୁଦ୍ଧ ପାଇଁ ପାରିଶ୍ରମିକ ଦେବା ଲାଗି ମଧ୍ୟ କୁହାଯାଉଛି । ଗଣମାଧ୍ୟମ ସଂସ୍ଥା ସିଏନ୍‌ଏନ୍‌ ମାସାଧିକ କାଳ ଅନୁସନ୍ଧାନ କରିବା ପରେ ଏହି ଖବର ପାଇଛି । ରୁଷ୍‌ର ସଦ୍ୟ ସେନା ନିଯୁକ୍ତି ସ୍କିମ୍‌ରେ କଏଦୀମାନଙ୍କୁ ସାମିଲ କରାଯାଇଛି । କଏଦୀଙ୍କ ବନ୍ଧୁ ଓ ସମ୍ପର୍କୀୟଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଉଛି । ଏହି କଏଦୀମାନଙ୍କ ମଧ୍ୟରେ ହତ୍ୟାକାରୀ, ନିଶାଦ୍ରବ୍ୟ ଚୋରା ଚାଲାଣକାରୀ ଭଳି ଅପରାଧୀ ରହିଛନ୍ତି । କିଛି କଏଦୀ ମଧ୍ୟ ସେନାରେ ସାମିଲ ହୋଇସାରିଥିବା ସୂଚନା ମିଳିଛି ।

Related Posts