ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବାପରେ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହୋଇଛନ୍ତି। ଏହା ପରେ ତାଙ୍କୁ ରୁ‌ଷର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଶୁକ୍ରବାର ଦିନ ଅଭିନନ୍ଦନ ଜଣାଇଛନ୍ତି। ଏ ସଂକ୍ରାନ୍ତରେ ପୁଟିନ୍‌ ଏକ ବିବୃତି ଦେଇ କହିଛନ୍ତି, “ଭାରତ ସହିତ ଆମର ସମୃଦ୍ଧ ବାଣିଜ୍ୟିକ ସମ୍ପର୍କ ପ୍ରତି ଆମେ ଅଧିକ ଗୁରୁତ୍ବ ଦେଉ। ରାଷ୍ଟ୍ରର ମୁଖ୍ୟ ହିସାବରେ ଆପଣଙ୍କର କାର୍ୟ୍ୟକଳାପ ରୁଷ୍‌ ଓ ଭାରତର ବିକାଶ ସଂକ୍ରାନ୍ତ ମତବିନିମୟ, ଆମ ମିତ୍ର ରାଷ୍ଟ୍ରସମୂହଙ୍କ ହିତ ପାଇଁ ବିଭିନ୍ନ କ୍ଷେତ୍ରରେ ସହଯୋଗ ଏବଂ ସୁଦୃଢ଼ ଆନ୍ତର୍ଜାତିକ ସ୍ଥିରତା ଏବଂ ନିରାପତ୍ତା କାର୍ୟ୍ୟକ୍ରମକୁ ଆଗେଇ ନେବ ବୋଲି ଆଶା କରୁଛି।”

ସୂଚନା ଅନୁସାରେ ୨୧ ତାରିଖରେ ଦ୍ରୌପଦୀ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବାପରେ ତାଙ୍କ ନିକଟକୁ ବହୁ ପ୍ରଶଂସା ଓ ଅଭିନନ୍ଦନ ର ସୁଅ ଛୁଟୁଛି। ତେବେ ଦ୍ରୌପଦୀ ମୁର୍ମୁ ଆସନ୍ତା ୨୫ ତାରିଖରେ ବିଧିବଦ୍ଧ ଭାବେ ଶପଥ ନେଇ ନିଜ କାର୍ଯ୍ୟକାଳ ଆରମ୍ଭ କରିବେ।

Related Posts