ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିବାଦ ଘେରରେ ଫସି ରହିଥିବା ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲଙ୍କ ଅଡ଼ୁଆ ବଢିବାରେ ଲାଗିଛି । ଏବେ କୁଳପତିଙ୍କ ଦରମା ବନ୍ଦ କରିଦିଆଯାଇଥିବା ସୂଚନା ମିଳିଛି । ଏହା ସହ ସେ ପୁଣି ତାଙ୍କ ଛୁଟି ବଢାଇଥିବା ଜଣାପଡ଼ିଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟର କୂଳପତି ଭାବେ ଯୋଗଦେବା ପରଠାରୁ ବିବାଦ ଘେରରେ ଛନ୍ଦି ହୋଇ ରହିଛନ୍ତି କୁଳପତି ପ୍ରଫସର ସଞ୍ଜୀବ ମିତ୍ତଲ ।ସ୍ୱଚ୍ଛ ବିଦ୍ୟାଳୟ ଅଭିଯାନ ପ୍ରକଳ୍ପ ପାଇଁ ଦିଆଯାଇଥିବା ୩୩ ଲକ୍ଷ ୪୪ ହଜାର ଟଙ୍କା ମଧ୍ୟରୁ ପ୍ରଫେସର ମିତ୍ତଲ ୨୯ ଲକ୍ଷ ଟଙ୍କା ତାଙ୍କ ନିକଟ ସମ୍ପର୍କୀୟଙ୍କୁ ପଠାଇ ସବୁଠାରୁ ବଡ଼ ବିବାଦ ଘେରକୁ ଚାଲି ଆସିଥିଲେ ।

ଆଗରୁ ମଧ୍ୟ ତାଙ୍କ ତାଙ୍କ ବିରୋଧରେ ଅନ୍ୟ କେତେକ ଅଭିଯୋଗ ଆସିଥିଲା । ପ୍ରଥମେ ନିଜ ନାମରେ ଥିବା ସ୍ୱଚ୍ଛ ବିଦ୍ୟାଳୟ ଅଭିଯାନ ପ୍ରକଳ୍ପର ବ୍ୟାଙ୍କ ଆକାଉଣ୍ଟରେ ୨୯ ଲକ୍ଷ ଟଙ୍କା ଫେରସ୍ତ କରିଥିବାବେଳେ ପରେ ପୁଣି ଚାପରେ ପଡ଼ି ବିଶ୍ୱବିଦ୍ୟାଳୟର ମୂଳ ଆକାଉଣ୍ଟରେ ଏହି ଅର୍ଥ ଜମା କରିବାକୁ ସେ ବାଧ୍ୟ ହୋଇଛନ୍ତି । ଅନ୍ୟପଟେ ବିବାଦୀୟ ସ୍ଥିତି ଯୋଗୁଁ ସେ ଗତ ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଛୁଟିରେ ରହିଥିଲେ । ଏହା ପରେ ସେ ପୁଣି ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ତାଙ୍କର ଛୁଟି ବଢାଇଥିବା ଜଣାପଡ଼ିଛି । ନିକଟରେ ସମ୍ବଲପୁର ମହାନଗର ନିଗମ ଅଂଚଳର ବିଭିନ୍ନ ସ୍ଥାନରେ ତାଙ୍କ ପୋଷ୍ଟର ଲଗାଇ ତାଙ୍କୁ ଗିରଫ କରିବାକୁ ଦାବି କରାଯାଇଥିଲା ।