ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସ୍ବଚ୍ଛ ବିଦ୍ୟାଳୟ ଅଭିଯାନର ବକେୟା ଟଙ୍କା ଫେରାଇବେନାହିଁ ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ। ଟଙ୍କା ଫେରାଇବା ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବାରମ୍ବାର ଚିଠି ଲେଖିବା ପରେ ସେ ଏହିଭଳି ସ୍ପଷ୍ଟ ଉତ୍ତର ରଖିଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।

ଉଲ୍ଲେଖଯୋଗ୍ୟ ଯେ, ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ ପ୍ରକଳ୍ପ ନିମନ୍ତେ ଏସ୍‌ଇସିଏଲ୍‌, ବିଳାସପୁର ୨ଟି ପର୍ଯ୍ୟାୟରେ ୩୨ ଲକ୍ଷ ୪୩ ହଜାର ୭୮୩ ଟଙ୍କା ଦେଇଥିଲା। ତତ୍କାଳୀନ କୁଳପତି ପ୍ରଫେସର ମିତ୍ତଲ ଅନ୍ୟ କୌଣସି ପ୍ରଫେସରଙ୍କୁ ନରଖି ନିଜେ ଏହି ପ୍ରକଳ୍ପର ପିଆଇଓ ରହିଥିଲେ। ଏହାପରେ ଯୋଜନାବଦ୍ଧ ଭାବେ ସେ ବ୍ୟାଙ୍କରେ ପିଆଇଓଙ୍କ ନାମରେ ଏକ ଆକାଉଣ୍ଟ ଖୋଲି ଉକ୍ତ ଅର୍ଥରାଶିକୁ ବିଶ୍ବବିଦ୍ୟାଳୟ ଆକାଉଣ୍ଟରୁ ସେହି ଆକାଉଣ୍ଟକୁ ସ୍ଥାନାନ୍ତର କରାଇ ନେଇଥିଲେ। ପରବର୍ତ୍ତୀ ସମୟରେ ସେ ପୁଣି ବେଆଇନ ଭାବେ ତାଙ୍କ ପୁଅଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୫ ଲକ୍ଷ ଏବଂ ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ୪ ଲକ୍ଷ ଟଙ୍କା ପ‌ଠାଇଥିଲେ। ତଦନ୍ତ ସମୟରେ ଏହା ଧରାପଡ଼ିବା ପରେ ସେ ବାଧ୍ୟ ହୋଇ ଦୁଇଟି ପର୍ଯ୍ୟାୟରେ ୨୯ ଲକ୍ଷ ଟଙ୍କା ଫେରାଇଥିଲେ। ତେବେ, ସେ ଚାକିରିରୁ ଇସ୍ତଫା ଦେବାପରେ ବି ଏପର୍ଯ୍ୟନ୍ତ ପିଆଇଓ ଆକାଉଣ୍ଟରେ ଥିବା ଆଉ ୩,୪୩,୭୮୩ ଟଙ୍କା ବିଶ୍ବବିଦ୍ୟାଳୟକୁ ଫେରସ୍ତ କରିନାହାନ୍ତି।

ଏହି ବକେୟା ଟଙ୍କା ଫେରସ୍ତ କରିବା ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରଫେସର ମିତ୍ତଲଙ୍କୁ ବାରମ୍ବାର ଚିଠି ଲେଖାଯାଇଥିଲା। ତେବେ ଗତ ‌ ଅକ୍ଟୋବର ୨୮ ତାରିଖରେ ଏ ସଂପର୍କରେ ବିଶ୍ବବିଦ୍ୟାଳୟ ପ୍ରଶାସନ ଚିଠି ଦେଇଥିବା ବେଳେ ଗତ ନଭେମ୍ବର ୧୨ରେ ପ୍ରଫେସର ମିତ୍ତଲ ଏହାର ‌ଉତ୍ତର ରଖିଥିଲେ। ‌ବିଶ୍ବବିଦ୍ୟାଳୟ ପ୍ରଶାସନ ପୁଣି ଗତ ୧୯ ତାରିଖରେ ଚିଠି ଲେଖି ୨୯ ଲକ୍ଷ ଟଙ୍କାର ସୁଧ ଏବଂ ସୁଧ ସହିତ ବକେୟା ୩,୪୩,୭୮୩ ଟଙ୍କା ଫେରସ୍ତ କରି ନ ଥିବାରୁ କାହିଁକି ଥାନାରେ ଏତଲା ଦିଆଯିବ ନାହିଁ ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବ ୭ ଦିନ ମଧ୍ୟରେ ରଖିବାକୁ ପ୍ରଫେସର ମିତ୍ତଲଙ୍କୁ କୁହାଯାଇଥିଲା। ଚିଠି ପାଇବା ପରେ ପ୍ରଫେସର ମିତ୍ତଲ ଏହାର ଜବାବ ରଖିଥିଲେ ମଧ୍ୟ ଟଙ୍କା ଦେବାକୁ ମନା କରିଦେଇଛନ୍ତି। ସେ ସ୍ବଚ୍ଛ ବିଦ୍ୟାଳୟ ପ୍ରକଳ୍ପ ଅଭିଯାନରେ ଟଙ୍କା ଖର୍ଚ୍ଚ କରିଦେଇଥିବାରୁ ଫେରାଇପାରିବେ ନାହିଁ। ବରଂ, ସଂପୃକ୍ତ ସଂସ୍ଥାକୁ ବକେୟା ଅର୍ଥର ବିନିଯୋଗ ପ୍ରମାଣପତ୍ର ଦେବେ ବୋଲି କହିଛନ୍ତି। ଏହାପରେ ବିଶ୍ବବିଦ୍ୟାଳୟ ପ୍ରଶାସନ ଥାନାରେ ଏତଲା ଦେବାକୁ ଚେତାବନୀ ଦେଇଥିବାରୁ ଏବେ କି ପଦକ୍ଷେପ ନେବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ବିଶ୍ବବିଦ୍ୟାଳୟର ଜଣେ ଅଧିକାରୀ କହିଛନ୍ତି, ଆସନ୍ତା ମାସରେ ହେବାକୁ ଥିବା ସିଣ୍ଡିକେଟ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ।