ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ମଇଦାନ ଉଷ୍ମ ଥିବାବେଳେ ବିଜେଡି ଏବଂ ବିଜେପି ମଧ୍ୟରେ ରାଜନୈତିକ ତିକ୍ତତା ଚରମସୀମାରେ ପହଞ୍ଚିଛି। ରବିବାର ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ନରେନ୍ଦ୍ର ସିଂ ତୋମାରଙ୍କ ଗସ୍ତକୁ ନେଇ ନିର୍ବାଚନମଣ୍ଡଳୀ ସରଗରମ ରହିଥିଲା। ତେବେ ମନ୍ତ୍ରୀଦ୍ବୟଙ୍କ ସହ ସାଂସଦ ଏବଂ ତୁଙ୍ଗନେତାମାନେ ମଧ୍ୟାହ୍ନ ଭୋଜନ କରୁଥିବାବେଳେ ଏହାର ଗୁଇନ୍ଦାଗିରି ଚାଲିଥିବା ବିଜେପି ଅଭିଯୋଗ କରି ଥାନା ଦ୍ବାରସ୍ଥ ହୋଇଛି।ଏନେଇ ଦଳପକ୍ଷରୁ ଯୁବନେତା ପ୍ରୀତେଶ ବହିଦାର ଥାନାରେ ବିଧିବଦ୍ଧ ଅଭିଯୋଗ କରିଛନ୍ତି।
ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ, ମନ୍ତ୍ରୀଦ୍ବୟଙ୍କ ସମେତ ଅନ୍ୟ ବରିଷ୍ଠ ନେତା ପଦ୍ମପୁରର ପୁରୁଷୋତ୍ତମପୁର ନିବାସୀ ଅମିତ ଗର୍ଗଙ୍କ ଘରେ ମଧ୍ୟାହ୍ନ ଭୋଜନ କରୁଥିଲେ। ଏତିକି ବେଳେ ଜଣେ ଅଜଣା ବ୍ୟକ୍ତି ସେଠାରେ ପହଂଚି ମୋବାଇଲ୍ରେ ସବୁ ଦୃଶ୍ୟ ରେକର୍ଡିଂ କରି ଚାଲିଥିଲା। ତେବେ କେନ୍ଦ୍ରମନ୍ତ୍ରୀମାନଙ୍କ ସୁରକ୍ଷାକର୍ମୀ ସଂପ୍ତୃକ୍ତ ଯୁବକକୁ ଏଥିରୁ ବାରଣ ବରିବା ସହିତ ପରିଚୟ ମାଗିଥିଲେ। ଏହାପରେ ବ୍ୟକ୍ତିଜଣକ ନିଜକୁ ଜିଲ୍ଲା ଗୁଇନ୍ଦା ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇଥିଲା। ତାକୁ ସେଠାରେ ପଚରାଉଚୁରା ଆରମ୍ଭ ହେବା ପରେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲା। ସେଠାରେ ତା’ର ମୋବାଇଲ୍ ଏବଂ ପରିଚୟପତ୍ର ପଡ଼ିଥିଲା। ତନାଘନା ପରେ ସେ ଜଣେ ଜାଲ୍ ଗୁଇନ୍ଦା ଅଧିକାରୀ ବୋଲି ସନ୍ଦେହ ହେବା ପରେ ଏନେଇ ଥାନାରେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି।
