ଧାମନଗରରେ ବିଜେପି ର ଗତି – ଅସଲିକୁ ଛାଡି ନକଲି ସାମଲ ଙ୍କୁ ନେଇ ବୁଲିଲେ ସମୀର

ସତ୍ୟପାଠ ( ବ୍ୟୁରୋ), ଭୁବନେଶ୍ୱର, ୧୧/୧୦: ଧାମନଗର ଉପ – ନିର୍ବାଚନ ତାତି ଯେତିକି ବଢୁଛି, ସେଠାର ଲୋକାଲ ରାଜନୀତି ସେତିକି ରୋଚକ ହେଉଛି। ଇଲେକ୍ସନ ଫଳାଫଳକୁ ନେଇ ଭାରତୀୟ ଜନତା ପାର୍ଟି ନେତା ଯେତେ ବଢେଇ ଚଢ଼େଇ କି ମିଡିଆରେ ବାଇଟ୍ ଦିଅନ୍ତୁ ନା କାହିଁକି ଅସଲରେ ପାର୍ଟିର ବଡ ନେତାଙ୍କ ଗୁଟ୍ ବାଜି ପାଇଁ ଶେଷରେ ସ୍ବର୍ଗତ ବିଷ୍ଣୁ ସେଠୀ ଙ୍କ ପ୍ରାର୍ଥୀ ପୁଅଙ୍କୁ ସିମ୍ପାଥି ବଦଳରେ ସିକସ୍ତ ମିଳିବା ଥୟ ଭଳି ଲାଗୁଛି। ଏହାର ବଡ ପ୍ରମାଣ ହେଲା ମଙ୍ଗଳବାର ଦିନ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରାର୍ଥୀପତ୍ର ଦାଖଲ ପୂର୍ବଦିନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଧାମନଗର ଗସ୍ତ କାର୍ଯ୍ୟକ୍ରମ ର ଚିତ୍ର। ରାଜ୍ୟ ସଭାପତି ଭାବରେ ସମୀର ମହାନ୍ତି ଙ୍କ ଏହା ପ୍ରଥମ ନିର୍ବାଚନୀ ଗସ୍ତ। ମାତ୍ର ଗୁରୁତ୍ଵପର୍ଣ୍ଣ ଦୃଶ୍ୟ ଟି ଦେଖିବାକୁ ମିଲିଲା ଯେ, ସମୀର ବାବୁ ଭଦ୍ରକ ଏବଂ ଧାମନଗର ଅଞ୍ଚଳରେ ଦଳର ବେଶ ପତିଆରା ଥିବା ତଥା ଦୁଇ ଦୁଇ ଥର ଦଳର ରାଜ୍ୟ ସଭାପତି ହୋଇଥିବା ଲୋକାଲ ହେଭିୱେଟ୍ ନେତା ମନମୋହନ ସାମଲଙ୍କୁ ସାଙ୍ଗରେ ନେଇନଥିଲେ। ଯଦିଓ ଆଉ ଜଣେ ଦଳର ଆଉ ଜଣେ ସାମଲ ସାଙ୍ଗିଆଧାରୀ ନେତା ତାଳଚେର ର କାଳନ୍ଦୀ ସାମଲଙ୍କୁ ସାଙ୍ଗରେ ନେଇ ଯାଇଥିଲେ। ମନମୋହନଙ୍କ ଜାଗାରେ କାଳନ୍ଦୀ ଙ୍କୁ ନେଇ ଧାମନଗର ରେ ବୁଲିବା ଘଟଣା ସମ୍ପର୍କରେ ଲୋକାଲ ଲିଡରଙ୍କ କହିବା କଥା ଯେ ସମୀର ଭାଇ ଯେଉଁ ସାମଲଙ୍କୁ ସାଙ୍ଗରେ ନେବା କଥା ତାଙ୍କୁ ନ ନେଇ ଜଣେ ଭୁଲ ସାମଲଙ୍କୁ ନେଇ ଏରିଆରେ ବୁଲୁଛନ୍ତି।

କାହିଁକି ମନମୋହନ ଫ୍ୟାକ୍ଟର ଗୁରୁତ୍ୱପୂର୍ଣ୍ଣ?

ମନମୋହନ ସାମଲ ନିଜର ନିର୍ବାଚନୀ କ୍ୟାରିୟର ଧାମନଗର ନିର୍ବାଚନ ମଣ୍ଡଳୀରୁ ଆରମ୍ଭ କରିଛନ୍ତି। ଅବଶ୍ୟ ଏଠାରୁ ବହୁବାର ହାରିବା ସତ୍ତ୍ୱ ଏବଂ ଧାମନଗର ରେ ସଂଖ୍ୟାଲଘୁ ମୁସଲମାନ ଙ୍କର ଏକ ଭଲ ଭୋଟ ବ୍ୟାଙ୍କ ଥିବା ସତ୍ତ୍ୱେ ୨୦୦୪ ରେ ମନମୋହନ ଏଠାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ ରେ ନିର୍ବାଚନମଣ୍ଡଳୀ ଡି ଲିମିଟେଶନ ହେଲା ଏବଂ ଧାମନଗର ନିର୍ବାଚନ ମଣ୍ଡଳୀ ରାତାରାତି ସଂରକ୍ଷିତ ହୋଇଗଲା ଅନୁସୂଚିତ ଜାତି ପ୍ରାର୍ଥୀଙ୍କ ପାଇଁ। ତେଣୁ ବାଧ୍ୟ ହୋଇ ମନମୋହନଙ୍କୁ ଏରିଆ ବଦଳେଇବାକୁ ପଡ଼ିଲା। ହେଲେ ଧାମନଗର ରେ ମନମୋହନଙ୍କ ବର୍ଷ ବର୍ଷର କ୍ୟାଡ଼ର ସମ୍ପର୍କ ବରକରାର ରହିଗଲା। ଏପରିକି ବିଷ୍ଣୁ ସେଠୀଙ୍କୁ ଆଣି ଧାମନଗର ରେ ଛିଡା କରାଇ ଜିତେଇବା ପଛରେ ସେତେବେଳେ ମନମୋହନଙ୍କ ବଡ ଅବଦାନ ଥିଲା। ଏ କଥା କୁ ସ୍ଥାନୀୟ ଦଳୀୟ ନେତା ଓ କର୍ମୀ ଏବେ ବି ସ୍ୱୀକାର କରନ୍ତି। ଆଜି ଦିନରେ ବି ଧାମନଗର ବିଜେପି ରେ ମନମୋହନଙ୍କ ଭଲ ଦବଦବା ଅଛି।

କିନ୍ତୁ ଆଶ୍ଚର୍ୟ୍ଯ କଥା ସମୀର ବାବୁ ଧାମନଗର ଓ ଭଦ୍ରକରେ ବୁଲିଲେ, ଦଳୀୟ ନେତାଙ୍କ ଘରେ ପଙ୍ଗତ ପତ୍ର ପକାଇଲେ ହେଲେ ସାଙ୍ଗରେ କାଳନ୍ଦୀ ସାମଲଙ୍କୁ ଧରି ବୁଲିଲେ ହେଲେ ମନମୋହନ ଙ୍କୁ ସାଇଡ ମାରିଲେ ।

ସମୀର ମନମୋହନଙ୍କୁ ସାଇଡ ମାରିବା ପଛରେ ଧର୍ମେନ୍ଦ୍ର

ଦଳରେ ସମୀର ମହାନ୍ତି ଓ ମନମୋହନ ସାମଲଙ୍କ ପଲିଟିକାଲ ସମୀକରଣ ବିଜେପି ବାଲା ସମସ୍ତଙ୍କୁ ଜଣା। ଏକଥା ବି ଜେ ପି ରେ ଜଣେ ନେତା ଛାତିରେ ହାତ ରଖି କହିପାରିବ ନାହିଁ ଯେ ସମୀର ମହାନ୍ତି ନିଜ ଦମ୍ ରେ ରାଜ୍ୟ ସଭାପତି ହୋଇଛନ୍ତି ବୋଲି। ସମୀର ଭାଇ ଯେ ରାଜ୍ୟ ବିଜେପି ରେ ଧର୍ମେନ୍ଦ୍ରଙ୍କ ଗୋଟି ଏକଥା ସମସ୍ତଙ୍କୁ ଜଣା। ସେପଟେ ଧର୍ମେନ୍ଦ୍ର – ମନମୋହନ ଙ୍କ ଅହିନକୁଳ ସମ୍ପର୍କ ବିଷୟରେ ମଧ୍ୟ ସମସ୍ତଙ୍କୁ ଜଣା। ଫଳରେ ୨୦୧୩ ଠାରୁ ଧର୍ମେନ୍ଦ୍ର ଙ୍କ ପତିଆରା ଯେବେଠୁ ବଢିଛି ପ୍ରଧାନେ ପ୍ରଥମେ ଯାହାର ଗୋଛି କାଟିଲେ ସିଏ ହେଲେ ମନମୋହନ ସାମଲ ଏବଂ ତାଙ୍କ ଗୋଷ୍ଠୀ ଯେଉଁଥିରେ ପ୍ରସନ୍ନ ମିଶ୍ର ବି ସାମିଲ । ଅବଶ୍ୟ ସେବେଠାରୁ ଧର୍ମେନ୍ଦ୍ର ମନମୋହନଙ୍କ କଲି କଁଅଳେଇବାକୁ ଦେଇନାହାନ୍ତି। ଆଉ ଏକଥା ସମସ୍ତଙ୍କୁ ଜଣା ସମୀର ବାବୁ ସାଙ୍ଗରେ ନେଇଥିବା କାଳନ୍ଦୀ ସାମଲ ଙ୍କ ରାଜନୈତିକ ପୃଷ୍ଠଭୂମି କଣ ଓ ଧମେଦ୍ରଙ୍କ ବିନା ଦୟାରେ ଦଳରେ ତାଙ୍କ ସ୍ଥିତି ଯେ ଶୁନ ଏହା କହିବାର ଆବଶ୍ୟକତା ନାହିଁ। ତେଣୁ ସମୀର ବାବୁ ମନମୋହନଙ୍କୁ ସାଙ୍ଗରେ ନେବା ଅର୍ଥ ଧର୍ମେନ୍ଦ୍ର ଙ୍କୁ ଅସନ୍ତୁଷ୍ଟ କରିବା। ତେଣୁ ମହାନ୍ତି ବାବୁ ଚାଲାକ୍ ଲୋକ ତେଣୁ ସାଙ୍ଗରେ ଧର୍ମେନ୍ଦ୍ରଙ୍କ ଆଜ୍ଞାବହ ଚେଲା କାଳନ୍ଦୀ ସାମଲଙ୍କୁ ନେଇଗଲେ ।

୨୦୧୯ ପରର ଧର୍ମେନ୍ଦ୍ର – ବିଷ୍ଣୁ – ମନମୋହନ ସମୀକରଣ

ଭଦ୍ରକ ଭାଜପା ରାଜନୀତିରେ ଏକଦା ଲକ୍ଷ୍ମୀ ମହାପାତ୍ର, ମନମୋହନ ସାମଲ ଓ ବିଷ୍ଣୁ ସେଠୀଙ୍କ ର ଖୁବ୍ ଦବଦବା ଥିଲେ। ପରବର୍ତ୍ତୀ ସମୟରେ ଲକ୍ଷ୍ମୀ ମହାପାତ୍ର ବିଜେପି ଛାଡ଼ି ବିଜୁ ବାବୁଙ୍କ ସହ ଜନତା ଦଳରେ ମିଶିଗଲେ। ଲକ୍ଷ୍ମୀ ଙ୍କ ପରେ ମନମୋହନ – ବିଷ୍ଣୁଙ୍କ ଭିତରେ ଖୁବ ଭଲ ସମ୍ପର୍କ ଥିଲା। ବିଷ୍ଣୁ ଚାନ୍ଦବାଲି ରୁ ଲଢ଼ୁଥିଲେ ଓ ମନମୋହନ ଧାମନଗର ରୁ ଲଢ଼ୁଥିଲେ। ଡି ଲିମିଟେଶନ ପରେ ମନମୋହନ ଭଣ୍ଡାରିପୋଖରୀ ଏବଂ ଚାନ୍ଦବାଲିକୁ ଗଲେ ଆଉ ବିଷ୍ଣୁ ସେଠୀ ଧାମନଗର ରୁ ଲଢ଼ିଲେ।

ମାତ୍ର ଧର୍ମେନ୍ଦ୍ରଙ୍କ ପତିଆରା ବଢିବା ସହ ଉଭୟଙ୍କ ଭିତରେ ତିକ୍ତତା ବଢିଲା। ଏପରିକି ୨୦୧୯ ପରେ ସଭାସମିତିରେ ବିଷ୍ଣୁ ସେଠୀ ମନମୋହନଙ୍କ ବିଷୟରେ ଖୁଲମଖୁଲା କଟୁ ମନ୍ତବ୍ୟ ଦେବା ଏକ ପ୍ରକାର ସାଧାରଣ ଘଟଣା ହୋଇଯାଇଥିଲା। ଦଳୀୟ ନେତାଙ୍କ କହିବା କଥା ଯେ, ମନମୋହନଙ୍କ ବିରୁଦ୍ଧରେ ବିଷ୍ଣୁ ସେଠୀଙ୍କୁ ଭଡକେଇବା ପଛରେ ଥିଲେ ଧର୍ମେନ୍ଦ୍ର ପ୍ରଧାନ।

ସେ ଯାହା ହେଉନା କାହିଁକି ଦଳ ରାଜ୍ୟ ସଭାପତି ଭାବରେ ସମୀର ବାବୁ ଯେଭଳି ଧାମନଗର ର ଅସଲି ସାମଲଙ୍କୁ ଛାଡ଼ି ନକଲି ସାମଲଙ୍କୁ ଧରି ବୁଲୁଛନ୍ତି ଏହା ଦର୍ଶାଉଛି ଆଗାମୀ ନିର୍ବାଚନରେ ବିଚରା ବାପ ଛେଉଣ୍ଡ ସୂର୍ଯ୍ୟବଂଶୀ ଙ୍କୁ ବଡ ବଡିଆ ଦଳଭାଇ ମାନେ ଏରିଆ ଛେଉଣ୍ଡ କରିଦେବେ।

Related Posts