ମାତୋଶ୍ରୀ ଆଗରେ ହନୁମାନ ଚାଳିସା ପାଠ କରିବାକୁ କହିଲେ ପ୍ରତିକ୍ରିୟା ଦେଉଛନ୍ତି ସଞ୍ଜୟ ରାଉତ ହେଲେ ରାଜ ଠାକରେଙ୍କ ପକ୍ଷରେ ଚୁପ: ଓୱେଇସି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ଲାଉଡସ୍ପିକରକୁ ନେଇ ରାଜନୀତି ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ରାଜ ଠାକରେ ବଡ଼ ବୟାନ ଦେଇଛନ୍ତି । ତେବେ ସେ ମେ ୩ ତାରିଖ ପର୍ୟ୍ୟନ୍ତ ଚୁପ୍ ରହିବେ । ଆଉ ମେ ୪ ତାରିଖରେ ତାଙ୍କୁ କେହି ବି ଚୁପ୍ କରିପାରିବେ ନାହିଁ । ଲାଉଡସ୍ପିକରରେ ସେ ଦୁଇଗୁଣା ସାଉଣ୍ଡ ଦେଇ ହନୁମାନ ଚାଳିଶା ପାଠ କରିବେ ବୋଲି କହିଛନ୍ତି, ଯାହାକୁ ନେଇ ଏବେ ବିବାଦ ଦେଖିବାକୁ ମିଳିଛି । ଅନ୍ୟପଟେ ରାଜ୍ ଠାକରେଙ୍କ ଏହି ବୟାନକୁ ନେଇ ଏବେ ଏଆଇଏମଆଇଏମ୍ ନେତା ଅସଉଦ୍ଧିନ ୱବେସୀ କହିଛନ୍ତି, ରାଜ୍ ଠାକରେଙ୍କ ଭାଷଣ ହିଂସାକୁ ଆମନ୍ତ୍ରଣ କରୁଛି । ପୋଲିସ ଏହାକୁ ଧ୍ୟାନରେ ନେଉନାହିଁ । ମହାରାଷ୍ଟ୍ରରେ ବଡ ନା ଜଣେ ବ୍ୟକ୍ତି ବଡ ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ନବନୀତ୍ ରାଣାଙ୍କ ଉପରେ ଯଦି କାର୍ୟ୍ୟାନୁଷ୍ଠାନ ହେଇପାରୁଛି, ତେବେ ରାଜ୍ ଠାକରେଙ୍କ ଉପରେ କାହିଁକି କାର୍ୟ୍ୟାନୁଷ୍ଠାନ ହେବ ନାହିଁ । ରାଜ୍ ଠାକରେଙ୍କୁ ଜେଲରେ ଭର୍ତ୍ତି କରିଦିଆଯାଉ, ତାଙ୍କ ମୁଣ୍ଡ ଶାନ୍ତ ହେଇଯିବ ବୋଲି କହିଛନ୍ତି ୱବେସୀ ।

ଖାଲି ସେତିକି ନୁହେଁ, ଏଆଇଏମଆଇଏମ୍ ନେତା ଆହୁରି ମଧ୍ୟ କହିଛନ୍ତିି ଯେ, ଜଣେ ବ୍ୟକ୍ତି ହିଁ ଔରଙ୍ଗାବାଦର ଏକତା ଉପରେ ବିପଦ ସାଜୁଛି । ଏହା ହିଂସାକୁ ଖୋଲା ଆହ୍ୱାନ । ମହାରାଷ୍ଟ୍ରରେ ଶିବସେନା ସରକାର ଚାଲିଛି, ତେଣୁ ଉଦ୍ଧବ ଠାକରେ ତାଙ୍କ ଭାଇ ଉପରେ କୌଣସି କାର୍ୟ୍ୟାନୁଷ୍ଠାନ ନେଉନାହାଁନ୍ତ ବୋଲି ସେ କହିଛନ୍ତି । ଅନ୍ୟପଟେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ୱବେସୀ । ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ହନୁମାନ ଚାଳିଶା ପାଠ କଲେ ଏହା ଦେଶଦ୍ରୋହ, ହେଲେ ଜଣେ ମସଜିଦ୍ ସାମ୍ନାରେ ଲାଉଡସ୍ପିକର ଲଗେଇ ହନୁମାନ ଚାଳିଶା ପାଠ କରିବାକୁ କହିଲେ ଆପଣ ଚୁପ୍ ରହୁଛନ୍ତି । ଆପଣଙ୍କର କଣ ମୁହଁ ବନ୍ଦ ହେଇଯାଇଛି ବୋଲି ସଞ୍ଜୟ ରାଉତଙ୍କୁ ପ୍ରଶ୍ନ କରିଛନ୍ତି ଅସଉଦ୍ଧିନ ୱବେସୀ ।ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts