ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶରଦ ହୋଇପାରନ୍ତି ବିରୋଧୀ ମୋର୍ଚ୍ଚାର ରାଷ୍ଟ୍ରପତି ପ୍ରାର୍ଥୀ । ସେପଟେ ଏନଡିଏ ବିରୋଧରେ ବିରୋଧୀଙ୍କର କିଏ ହେବ ରାଷ୍ଟ୍ରପତି ପ୍ରାର୍ଥୀ? କେଉଁ ନେ ରୁତାଙ୍କୁ ସାମ୍ନାକୁ ଆଣି ରାଷ୍ଟ୍ରପତି ନିର୍ବାଚନ ଲଢିବ ବିରୋଧୀ ମୋର୍ଚ୍ଚା? ଏ ସବୁ ପ୍ରଶ୍ନକୁ ନେଇ ଚର୍ଚ୍ଚା ଲାଗିରହିଥିବାବେଳେ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଶରଦ ପାୱାରଙ୍କ ନାମ ସାମ୍ନାକୁ ଆସିଛି । ଅନ୍ୟପଟେ ପ୍ରଥମରୁ ହିଁ କଂଗ୍ରେସ ଶରଦଙ୍କର ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ସମର୍ଥନ କରୁଛି । ଏନେଇ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଗୁରୁବାର ଶରଦ ପାୱାରଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି । ଦୁଇ ନେତା ମୁମ୍ବାଇରେ ଭେଟାଭେଟି ହେବା ସହିତ ରାଷ୍ଟ୍ରପତି ନିର୍ବାଚନ ନେଇ ଆଲୋଚନା କରିଛନ୍ତି । ଅନ୍ୟପଟେ ଅରବିନ୍ଦ କେଜରିୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟିର ନେତା ସଞ୍ଜୟ ସିଂହ ମଧ୍ୟ ଫୋନ୍ ଯୋଗେ ଶରଦଙ୍କ ସହିତ କଥା ହୋଇଛନ୍ତି । ତା ସହିତ ଖଡଗେ ମଧ୍ୟ ଏ ସଂକ୍ରାନ୍ତରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଉ ତାମିଲନାଡୁ ମୁୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନଙ୍କ ସହିତ କଥା ହୋଇଛନ୍ତି । ତେଣୁ ବିରୋଧୀ ମୋର୍ଚ୍ଚା ଶରଦଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।
ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଯାହାର ଫଳାଫଳ ଜୁଲାଇ ୨୧ରେ ଆସିବ । ତେବେ ଏପର୍ଯ୍ୟନ୍ତ କିଏ ରାଷ୍ଟ୍ରପତି ପ୍ରାର୍ଥୀ ହେବ ସେନେଇ କୌଣସି ଦଳ କିମ୍ବା ମେଣ୍ଟ କିଛି ବି ନିଷ୍ପତ୍ତି ନେଇନାହାଁନ୍ତି । ଏନଡିଏ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ରେସରେ ଏକାଧିକ ନେତା ଥିବାବେଳେ, କଂଗ୍ରେସ ଶରଦ ପାୱାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
