ଆର୍ଥିକ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ସତ୍ୟେନ୍ଦ୍ର ଜୈନଙ୍କ ପାଇଁ ବଢ଼ିଲା ଅଡ଼ୁଆ: ନ୍ୟାୟିକ ହେପାଜତ ଅବଧି ୧୪ ଦିନକୁ ବୃଦ୍ଧି

ନୂଆଦିଲ୍ଲୀ: ଦିଲ୍ଲୀ ସରକାରରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପାଇଁ ଅଡ଼ୁଆ ଆହୁରି ବଢି ଯାଇଛି । ଆର୍ଥିକ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ଜୈନଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି ପାଇଛି । ଆହୁରି ୧୪ ଦିନିଆ ନ୍ୟାୟିକ ହେପାଜତରେ ପଠାଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ବିଚାରପତି ଗୀତାଞ୍ଜଳି ଗୋୟଲ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସତ୍ୟେନ୍ଦ୍ର ଜୈନଙ୍କ ନ୍ୟାୟିକ ହେପାଜତ ଅବଧି ବଢାଇବାକୁ ଦାବି କରାଯାଇଥିଲା। ଏହାର ଗୋଟିଏ ଦିନ ପୂର୍ବେ ଆବେଦନ ଉପରେ ବିଚାର କରିବାକୁ ବିଚାରପତି ମନା କରିଦେଇଥିଲେ । ଶୁଣାଣି ସମୟରେ ସତ୍ୟେନ୍ଦ୍ର ଜୈନ କିମ୍ୱା ତାଙ୍କର ପ୍ରତିନିଧିତ୍ୱ କରିବାକୁ କୋର୍ଟରେ କେହି ନଥିବା ଦର୍ଶାଇ କୋର୍ଟ ଶୁଣାଣି କରିବାକୁ ମନା କରିଥିଲେ।

ସତ୍ୟେନ୍ଦ୍ର ଜୈନ ହସ୍ପିଟାଲରେ ଥିବା ନେଇ ଅବଗତ କରାଯିବା ପରେ ଭିଡିଓ କନଫରେନ୍ସିଂ ଜରିଆରେ ତାଙ୍କୁ ଉପସ୍ଥିତ କରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ଅକ୍ସିଜେନ ସ୍ତର ହ୍ରାସ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଯାଚିକା ଉପରେ ଶୁଣାଣି କରି ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଜୈନଙ୍କ ନ୍ୟାୟିକ ହେପାଜତ ଅବଧିକୁ ୧୪ ଦିନ ବଢାଇଛନ୍ତି। ୫୭ ବର୍ଷିୟ ସତ୍ୟେନ୍ଦ୍ର ଜୈନଙ୍କୁ ଆର୍ଥିକ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମେ ୩୦ ତାରିଖରେ ଗିରଫ କରିଥିଲା ।

Related Posts