କେଜ୍ରିଓ୍ଵାଲଙ୍କ କ୍ୟାବିନେଟରୁ ଇସ୍ତଫା ଦେଲେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆମ୍‌ ଆଦମୀ ପାର୍ଟି (ଆପ୍‌) ନେତା ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଆଜି ସନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନିଜର ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସେମାନଙ୍କ ଇସ୍ତଫା କୁ ଗ୍ରହଣ କରିଛନ୍ତି। ଏହାସହିତ ଖୁବଶୀଘ୍ର କେଜ୍ରିୱାଲ ନିଜ କ୍ୟାବିନେଟରେ ପରିବର୍ତ୍ତନ କରି ନୂଆ ମନ୍ତ୍ରୀଙ୍କୁ ସାମିଲ କରିପାରନ୍ତି ବୋଲି କୁହାଯାଉଛି।

ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଦୁର୍ନୀତି ଅଭିଯୋଗରେ ବର୍ତମାନ ଜେଲରେ ଅଛନ୍ତି। ଏହି ଦୁଇମନ୍ତ୍ରୀ ମୋଟ ୧୮ଟି ମନ୍ତ୍ରାଳୟର ଦାୟିତ୍ୱରେ ଥିବା ବେଳେ ବର୍ତମାନ ଇସ୍ତଫା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଦୁର୍ନୀତି ଅଭିଯୋଗରେ ସ୍ୱାସ୍ଥ୍ୟମନ୍ତ୍ରୀ ଜୈନ ଗିରଫ ହୋଇ ଜେଲ ରେ ଅଛନ୍ତି । ସେପଟେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଉପ-ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ରବିବାର ସିବିଆଇ ଗିରଫ କରିଥିଲା। ଗିରଫ ନେତାମାନେ କାହିଁକି ଦିଲ୍ଲୀ ସରକାରରେ ଅଛନ୍ତି ବୋଲି ବିଜେପି ପ୍ରଶ୍ନ କରିବା ପରେ ‘ଆପ୍‌’ର ଗିରଫ ହୋଇ ଜେଲରେ ଥିବା ମନ୍ତ୍ରୀମାନେ ଇସ୍ତଫା ଦେଇଛନ୍ତି। ତେବେ ୨ ମନ୍ତ୍ରୀଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସମେତ ଦିଲ୍ଲୀ କ୍ୟାବିନେଟରେ ଏବେ ମୋଟ ୫ ଜଣ ମନ୍ତ୍ରୀ ଅଛନ୍ତି।

Related Posts